ଭୁବନେଶ୍ବର: ଏଣିକି ସବୁ ବିଭାଗ ଉପରେ ରହିବ ସରକାରଙ୍କ ନଜର। ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ବିଭାଗର କାର୍ଯ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରିବ। ଟିକେ ଏପଟ ସେପଟ ହେଲେ ନିଆଯିବ ସିଧା କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ବିଭାଗ ସମ୍ପର୍କରେ ରିପୋର୍ଟ କରିବା ପାଇଁ ୬ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି।
୬ ଅଫିସରଙ୍କ ମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଥିବା ବେଳେ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗ, ଆଇଏଏସ ଅନୁପମ ଶାହାଙ୍କୁ ରାଜସ୍ବ, ସୂଚନା, ଶିକ୍ଷା ଇତ୍ୟାଦି ବିଭାଗ ଦିଆଯାଇଛି। ଅନ୍ୟପଟେ ପ୍ରସନ୍ନ କୁମାର ଷଡଙ୍ଗୀ, ଚିତ୍ରସେନ ରାଉତ ଏବଂ ଉମେଶ ତ୍ରିପାଠୀଙ୍କୁ ବାକି ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ତଦାରଖ କରିବା ପାଇଁ ନିଯୁକ୍ତି କରାଯାଇଛି। ଏହି ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବିଭାଗର ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ କରିବେ। ଆଉ କାର୍ଯ୍ୟରେ ଖିଲାଫ ହୋଇଥିବା ନଜର ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।