ମୁଖ୍ୟ ଖବର

ଅନୁଗୁଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ୧୮୦୦ କୋଟି ଟଙ୍କାର ପ୍ରକଳ୍ପର କଲେ ଶୁଭାରମ୍ଭ

By Angul TV Bureau

December 29, 2022

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି। ଏହାସହିତ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବଂ ଏହି ପ୍ରକଳ୍ପ ଦୁଇଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇସାରିଛି ବୋଲି କହିଥିଲେ। ଏହାଦ୍ବାରା ଜିଲ୍ଲାର ୪୮ଟି ପଞ୍ଚାୟତର ଲୋକ ପାନୀୟ ଜଳ ପାଇପାରିବେ।

ଏ ଅବସରରେ ଅନୁଗୁଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ସଂଗ୍ରାମୀ ନେତାମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିଥିଲେ।

ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳରେ ଶିଳ୍ପ ପ୍ରତିଷ୍ଠା ସହିତ ନିଯୁକ୍ତିର ସୁଯୋଗ ବଢୁଛି। ଚଳିତ ମେକ୍‌-ଇନ୍-ଓଡିଶାରେ ରାଜ୍ୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନୁଗୁଳର ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାର ୭୩୭୨ ମିଶନ ଶକ୍ତି ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ବାରା ଉପକୃତ ହେବେ। ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଦିନ ମିଶନ ଶକ୍ତିର ମା’ମାନେ ତାଙ୍କୁ ଭେଟୁଛନ୍ତି ଓ ତାଙ୍କ ସଫଳତାର କାହାଣୀ କହୁଛନ୍ତି। ଏହା ତାଙ୍କୁ ଖୁବ ଆନନ୍ଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ମା’ ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି ପ୍ରକାଶ କରି ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୁଳ ଷ୍ଟାଡିଅମରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାପରେ ରେଲୱେ ଷ୍ଟେସନ ଯାଇ ସେଠାରେ ସମ୍ବଲପୁର-ଶାଲିମାର-ସମ୍ବଲପୁର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଲୋକୋ ସେଡ୍ ସାଇଡିଂ ଯାଇ ସେଠାରେ ନୂଆ ଏମସିଆରଏଲ୍ ରେଳ ଲାଇନ ଉଦ୍‌ଘାଟନ କରିବା ସହିତ ଅନୁଗୁଳ-ବଳରାମ ଲିଙ୍କ ଗୁଡ୍‌ସ ଟ୍ରେନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି, ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ।