ଘଟଣା ଓ ଦୁର୍ଘଟଣା

ସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

By Sanjeeb Biswal

October 12, 2022

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ବାହାଳ ସାହିରେ ସାପ କାମୁଡ଼ାରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସେହି ଗାଁର ପ୍ରଶାନ୍ତ ଭୁତିଆଙ୍କ ପୁଅ ପ୍ରୀତେଶ।

ଗତ ସୋମବାର ରାତିରେ ପ୍ରୀତେଶ ଖାଇ ପିଇ ମା’ଙ୍କ ସହିତ ଶୋଇଥିଲା। ରାତି ୧୧ଟା ବେଳେ ହଠାତ୍ ତାର ବାନ୍ତି ହୋଇଥିଲା। ବାନ୍ତି କରିସାରି ସେ ପୁଣି ଶୋଇପଡ଼ିଥିଲା। ସକାଳୁ ଉଠିବା ପରେ ପୁଣି ତାର ବାନ୍ତି ହୋଇଥିଲା। ପେଟ ଗରମ ଯୋଗୁଁ ବାନ୍ତି ହୋଇଥିବା ଭାବି ମା’ ତାକୁ ସ୍କୁଲ୍ ପଠାଇ ଥିଲେ। କିନ୍ତୁ ସେଠାରେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ନଳକୂଅକୁ ଧୋଇ ହେବାକୁ ଗଲା ବେଳେ ତାର ମୁଣ୍ଡ ବୁଲାଇଥିଲା। ସ୍କୁଲ୍ କର୍ତ୍ତୃପକ୍ଷ ତା ପରିବାରକୁ ଜଣାଇବାରୁ ସେମାନେ ପ୍ରୀତେଶକୁ ସ୍କୁଲରୁ ଆଣି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଅବସ୍ଥା ଉଦବେଗ ଜନକ ହେବାରୁ ତାକୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସା ସମୟରେ ତାକୁ ସାପ କାମୁଡ଼ିଥିବାବା ଜଣାପଡ଼ିଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପ୍ରୀତେଶର ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।