ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଛକ ନିକଟରେ ଥିବା ଏକ ଜଳଖିଆ ଓ ମିଠା ଦୋକାନରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଓ ଶିଶୁ କଲ୍ୟାଣ ସମିତି ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଥିଲା। ଉଦ୍ଧାର ହୋଇଥିବା ଶିଶୁଟିର ନାମ ବୀରୁ ମୁଣ୍ଡା ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଶ୍ୟାମ ସୁନ୍ଦର ନାମକ ଏହି ଜଳଖିଆ ଦୋକାନୀ ଜଣକ ଶ୍ରମ ବିଭାଗର ବାରମ୍ବାର ଚେତାବନୀ ସତ୍ତ୍ୱେ ଅବୈଧ ଭାବେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରି ଆସୁଥିଲେ। ଖବର ପାଇ ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରିଣୀ ଆରସୀତା ନାୟକ, ଲକ୍ଷ୍ମୀ ବେହେରା ଓ CWC ସଦସ୍ୟମାନେ ଚଢ଼ଉ କରିଥିଲେ।
ଉଦ୍ଧାର ହୋଇଥିବା ଶିଶୁକୁ ସୁରକ୍ଷିତ ଭାବେ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଏହି ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି।