ଘଟଣା ଓ ଦୁର୍ଘଟଣା

ବାଲ୍ୟ ବିବାହ ବେଳେ ଶିଶୁ ସୁରକ୍ଷା ବିଭାଗର ଚଢ଼ଉ, ନାବାଳିକ ଦମ୍ପତି ଛୁ’

By Angul TV Bureau

April 13, 2024

ଅନୁଗୁଳ: ସ୍ଥାନୀୟ କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଢିମାରଗୁଡ଼ି ଅଞ୍ଚଳରେ ଶୁକ୍ରବାର ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ତାଳଚେର ଶିଶୁ ସୁରକ୍ଷା ପକ୍ଷରୁ ଚଢ଼ଉ କରାଯାଇଛି। କିନ୍ତୁ ଚଢ଼ଉ ବେଳକୁ ବିବାହ ସମ୍ପନ୍ନ ହୋଇଯାଇଥିଲା।

ସୂଚନା ମୁତାବକ, ବାଲ୍ୟ ବିବାହ ହେଉଥିବା ଖବର ପାଇ ତାଳଚେର ଶିଶୁ ସୁରକ୍ଷା ଅଧିକାରୀ ତଥା ସିଡିପିଓ ପ୍ରମୋଦିନୀ ତ୍ରିପାଠୀ ଏବଂ କୋଲିୟରୀ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ। କିନ୍ତୁ ସେତେ ବେଳକୁ ବିବାହ ସରି ଭୋଜି ଭାତର ଆୟୋଜନ ଚାଲିଥିଲା। ପ୍ରାୟ ଏକ ହଜାରରୁ ଅଧିକ ଲୋକଙ୍କ ପାଇଁ ଭୋଜି ବ୍ୟବସ୍ଥା ହୋଇଥିଲା। ପ୍ରଶାସନ ପକ୍ଷରୁ ଭୋଜି ଭାତକୁ ବନ୍ଦ କରିବା ସହିତ ଉଭୟ ନାବାଳକ ଦମ୍ପତିଙ୍କୁ ଉଦ୍ଧାର କରି ଶିଶୁ ବାଳା ସ୍ବଧାର ଗୃହକୁ ପଠାଇବାକୁ ନେଇ ପରିବାର ଲୋକଙ୍କ ସହିତ ଆଲୋଚନା କରୁଥିଲେ। କିନ୍ତୁ କୌଣସି କଥାକୁ ନେଇ ପୋଲିସ ଏବଂ ସିଡିପିଓଙ୍କ ମଧ୍ୟରେ କଥା କଟାକଟି ହୋଇ ସେଠାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତ ଉପୁଜିଥିଲା। ଏପରିକି ପୋଲିସ୍, ସିଡିପିଓ ଏବଂ ପରିବାର ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।

ଏହାର ସୁଯୋଗ ନେଇ ଉଭୟ ନାବାଳକ ଦମ୍ପତି ଘଟଣା ସ୍ଥଳରେ ଚମ୍ପଟ ମାରିଥିଲେ। ପରେ ସମସ୍ତେ ଖୋଜାଖୋଜି କରିଥିଲେ ବି ଉଭୟ ନାବାଳକ ଦମ୍ପତିଙ୍କ ଟେର ପାଇନଥିଲା। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଜାଣିବା ପରେ ତୁରନ୍ତ ନାବାଳିକ ଦମ୍ପତିଙ୍କୁ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ କୋଲିୟରୀ ଥାନାରେ ଏକ ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। ତାଳଚେର ସିଡିପିଓ ପ୍ରମୋଦିନୀ ତ୍ରିପାଠୀଙ୍କୁ ପଚାରିବାରୁ ସେ ଏ ବାବଦରେ କିଛି ଜାଣି ନଥିବା କହିଥିଲେ। ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ତା​ଳଚେର ବାଲ୍ୟ ବିବାହ ଘଟଣା ଏବଂ ଦମ୍ପତି ଫେରାର ହେବା ଘଟଣା ସତ। ତାଳଚେର ସିଡିପିଓ ଘଟଣାସ୍ଥଳକୁ ଯାଇ ତାହାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି।