ଅନ୍ୟାନ୍ୟ

ଶିଶୁ ଦିବସ ପାଇଁ ଅନନ୍ତ ଡିଏଭିରେ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ

By Angul TV Bureau

November 15, 2022

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍. ବିରଞ୍ଚି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜବାହାରଲାଲ ନେହରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥିଭାବେ ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଉଦଘାଟନ କରିଥିଲେ। ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନେ ୧୦୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପିଲାମାନେ ଖାଦ୍ୟ ମେଳାର ଭରପୁର ମଜା ଉଠାଇଥିଲେ।

ଶିଶୁ ଦିବସ ପାଇଁ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ନେହରୁଙ୍କ ଜୀବନର ଯଶସ୍ଵୀ ଦିଗ ପ୍ରତି ଆଲୋକପାତ କରିଥିଲେ।

ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ଫକୀରମୋହନ ହାଉସ୍ ଦଳଗତ ଚମ୍ପିୟାନ ହୋଇ ସିଲ୍ଡ ଗ୍ରହଣ କରିଥିବା ବେଳେ ଗଙ୍ଗାଧର ହାଉସ୍ ରନର୍ସ୍ ଅପ୍ ସିଲ୍ଡ ହାସଲ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।