ମୁଖ୍ୟ ଖବର

ସିଭିଲ ସର୍ଭିସ ପରୀକ୍ଷା: ପାଲଲହଡ଼ାର ଗର୍ବ ସାଜିଲେ ସୌମ୍ୟରଞ୍ଜନ ପ୍ରଧାନ, ସର୍ବଭାରତୀୟ ସ୍ତରରେ ଅଛନ୍ତି ୩୦୬ ତମ ସ୍ଥାନରେ

By Angul TV Bureau

May 30, 2022

ଅନୁଗୁଳ: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷାରେ ଚଳିତବର୍ଷ ମୋଟ ୬୮୫ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ତାଲିକାରେ ଓଡ଼ିଶାରୁ ଅଛନ୍ତି ୯ ଜଣ। ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌମ୍ୟରଞ୍ଜନ ପ୍ରଧାନ। ସର୍ବଭାରତୀୟ ତାଲିକାରେ ସେ ୩୦୬ ତମ ସ୍ଥାନରେ ଅଛନ୍ତି।

ଦେବଗଡ଼ ଜିଲ୍ଲା ଭୁକାବେଡା ଗାଁରେ ସୌମ୍ୟରଞ୍ଜନଙ୍କ ଜନ୍ମ। କିନ୍ତୁ ତାଙ୍କ ବାପା ସଞ୍ଜୀବ କୁମାର ପ୍ରଧାନ ପାଲଲହଡ଼ା ସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଭାବେ କାମ କରୁଥିବାରୁ ତାଙ୍କ ସ୍କୁଲ ଜୀବନ ଏଠାରେ ହିଁ ବିତିଥିଲା। ସୌମ୍ୟ ପାଲଲହଡ଼ା ସରସ୍ଵତୀ ଶିଶୁ ମନ୍ଦିରରେ ପ୍ରାଥମିକ ଶିକ୍ଷା ରୁ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲେ। ତା ପରେ ବ୍ରହ୍ମପୁର ନୀଳକଣ୍ଠ ନଗରରେ +୨ ପଢ଼ିଥିଲେ। ଏହା ପରେ ସେ ରାଉରକେଲା ଏନଆଇଟିରେ ଶିକ୍ଷା ଶେଷ କରିଥିଲେ। ୨୦୧୯ ରେ ସେ ଓଏଏସ୍ ପରୀକ୍ଷା ଦେଇ ଓଡ଼ିଶାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ଆହୁରି ବଡ଼। ସେ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ ପାଇଁ ଇଚ୍ଛା ରଖିଥିଲେ। ଆଉ ୨୦୨୧ ରେ ଦେଇଥିଲେ ଆଇଏଏସ୍ ପରୀକ୍ଷା। ତେବେ ନିଜର ଏହି ସ୍ୱପ୍ନ ମଧ୍ୟ ଆଜି ସେ ପୂରା କରିଛନ୍ତି। ଦିନକୁ ୫ ରୁ ୬ ଘଣ୍ଟା ପାଠ ପଢ଼ି ଆଜି ସେ ସଫଳ ହୋଇଛନ୍ତି। ତେବେ ଏହି ସ୍ଵପ୍ନ ତାଙ୍କ ଜେଜେ ବାପାଙ୍କର ଥିଲା ବୋଲି କହିଛନ୍ତି ସୌମ୍ୟ।

ଅନ୍ୟ ପଟେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ। କାର୍ତ୍ତିକ ସର୍ବଭାରତୀୟ ତାଲିକାରେ ୬୩ ତମ ସ୍ଥାନରେ ଅଛନ୍ତି। ସେହିପରି ଦ୍ଵିତୀୟ ଓଡ଼ିଆ ଭାବେ ୮୬ ର‍୍ୟାଙ୍କ୍‌ରେ ଅଛନ୍ତି ସୌରଭ କୁମାର ଅଗ୍ରୱାଲ୍। ତା’ ପରେ ୨୦୫ ର‍୍ୟାଙ୍କ୍‌ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ର‍୍ୟାଙ୍କ୍‌ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ର‍୍ୟାଙ୍କ୍‌ରେ ଅନୁପ ଗର୍ଗ, ୨୭୩ ର‍୍ୟାଙ୍କ୍‌ରେ ସମୀର କୁମାର ଜେନା, ୩୦୬ ର‍୍ୟାଙ୍କ୍‌ରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ର‍୍ୟାଙ୍କ୍‌ରେ ହର୍ଷିତ ମେହେର, ୫୧୩ ର‍୍ୟାଙ୍କ୍‌ରେ ମାନସ ରଞ୍ଜନ ସାହୁ ଅଛନ୍ତି।