ଘଟଣା ଓ ଦୁର୍ଘଟଣା

ଗାଧୋଇବାକୁ ଯିବା ହେଲା କାଳ! ପୋଖରୀରେ ବୁଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

By Angul TV Bureau

August 24, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗୀରି ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟାଳୟକୁ ଯିବା ପୂର୍ବରୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି।ମୃତ ଛାତ୍ରଜଣକ ହେଲେ ନୂଆପଡ଼ା ଗ୍ରାମର ବୀରେନ୍ଦ୍ର ବେହେରାଙ୍କ ୧୦ ବର୍ଷୀୟ ପୁଅ ବିଶ୍ୱଜିତ ବେହେରା। ସକାଳେ ସେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ଭାସୁଥିବା ଦେଖି ଉଦ୍ଧାର କରିଥିଲେ। ପରେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ପକ୍ଷରୁ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।