ଅନୁଗୁଳ: ଖାଇବା ଛୁଟିରେ ମଦ ପିଇଲେ ସ୍କୁଲ ପିଲା। ଆଉ ମାତାଲ ହୋଇ କ୍ଲାସକୁ ଫେରିଲେ। ଅନୁଗୁଳ ସହର ଉପକଣ୍ଠ ବଅଁରପାଳ ଶିକ୍ଷା ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଡ଼ ଏକ ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା ସାମନାକୁ ଆସିଛି, ଯାହାକୁ ଚପାଇ ଦିଆଯାଇଥିବା ସୂଚନା ମିଳିଛି।
ନୋଡାଲ ୟୁପି ସ୍କୁଲର ଚାରି ଜଣ ଅଷ୍ଟମ ଶ୍ରେଣୀ ପିଲା ଘରକୁ ଖାଇବାକୁ ଯିବାକୁ କହି ସ୍କୁଲରୁ ବାହାରିଲେ ଆଉ ପେଟେ ମଦ ପିଇ ପୁଣି ସ୍କୁଲକୁ ଫେରିଥିଲେ। ସ୍କୁଲରେ କ୍ଲାସ ଚାଲିଥିବା ବେଳେ ସେମାନେ ବାଉଳି ଚାଉଳି ହୋଇଥିଲେ। ଏ ଘଟଣା ପ୍ରଧାନ ଶିକ୍ଷକଙ୍କ କାନରେ ପଡ଼ିବା ପରେ ସେ ସରପଞ୍ଚଙ୍କୁ ଡାକିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସମସ୍ତେ ମିଶି ଘଟଣାକୁ ଚାପି ଦେଇଥିବା ଜଣାପଡ଼ିଛି।
ତେବେ ସ୍କୁଲର ଅନ୍ୟ ପିଲା ଘଟଣା ବାବଦରେ ଆଲୋଚନା କରିବାରୁ ପୂରା କଥା ସାମନାକୁ ଆସିଥିଲା। ଏ ନେଇ ଜଣେ ଅଭିଭାବକ କହିଛନ୍ତି, ଉକ୍ତ ସ୍କୁଲର ଶିକ୍ଷକମାନେ ବାରି ଦେଖି ଆଇଁଷ ଭୋଜି କରନ୍ତି। ସ୍କୁଲ ଗେଟ୍ ରେ ତାଲା ଦେଇ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଚାଲେ। ଶିକ୍ଷକଙ୍କ ଦେଖା ଦେଖି ଏବେ ପିଲା ବି କୁପଥକୁ ଗଲେଣି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଭିଭାବକ। ଘଟଣାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।