ମୁଖ୍ୟ ଖବର

ଅନୁଗୁଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ, ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ

By Angul TV Bureau

November 14, 2025

ଅନୁଗୁଳ: ପୂରଣ ହୋଇଛି ଅନୁଗୁଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ। ଆରମ୍ଭ ହୋଇଛି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଠପଢ଼ା। ଏଥିସହ ଶୁକ୍ରବାର ଠାରୁ ନୂତନ ଛାତ୍ରଛାତ୍ରୀ ଶୁକ୍ରବାର ମୁଖ୍ୟ ଚିକିତ୍ସାଳୟ (ଟ୍ରମା ସେଣ୍ଟର) ଠାରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ଏହା ଅନୁଗୁଳ ଜିଲ୍ଲାରେ ଚିକିତ୍ସା ସେବା ଓ ମେଡିକାଲ ଶିକ୍ଷା ମିଶି ପ୍ରଥମ ଥର ପାଇଁ ଏକ ନୂତନ ଆଶା ସୃଷ୍ଟି କରିଛି।

ଶୁକ୍ରବାର ଅପରାହ୍ନରେ ଟ୍ରମା ସେଣ୍ଟରରେ ଡାକ୍ତରୀ ଛାତ୍ରୀଛାତ୍ର ପହଞ୍ଚି ଥିବା ପରେ ଚିକିତ୍ସାଳୟ ପରିସରରେ ଗଛ ଲଗାଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ଟ୍ରମା ୱାର୍ଡ, ଅର୍ଥୋ ୱାର୍ଡ, ମେଡିସିନ୍ ଓ ସର୍ଜରୀ ବିଭାଗ, ଗାଇନିଂୱାର୍ଡ, ପିଡିଆଟ୍ରିକ୍ସ, ଅସ୍ଥିରୋଗ, ଆପାତକାଳୀନ ବିଭାଗ ଆଦି ବୁଲିଥିଲେ।

ଏବର୍ଷ ୧୦୦ ଆସନରେ ଏମ୍‌ବିବିଏସ୍‌ ଭର୍ତ୍ତି ଅନୁମୋଦନ ମିଳିଛି। ସେଥିରୁ ୮୫ ଜଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବାବେଳେ ୧୫ ଜଣ ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରୁ ଆସି ନାମ ଲେଖାଇଛନ୍ତି। ସ୍ବାଗତ କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡାକ୍ତର ମଦନ ମୋହନ ପ୍ରଧାନ, ଡିନ୍–କମ୍–ଅଧ୍ୟକ୍ଷ ପ୍ରଫେସର ଡା. କୀର୍ତ୍ତିରେଖା ମହାପାତ୍ର, ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ତରଙ୍ଗିଣୀ ଦାସ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧ୍ୟାପକ ଉପସ୍ଥିତ ଥିଲେ।