ମୁଖ୍ୟ ଖବର

ଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

By Angul TV Bureau

November 04, 2023

ଅନୁଗୁଳ: ଛାତ୍ରୀଙ୍କ ତଣ୍ଟି କାଟିଦେଲା ସହପାଠୀ। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଛେଳିଆପଡ଼ାରେ ଥିବା ବିନାୟକ ଯୁକ୍ତ ଦୁଇ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ତାଙ୍କ ଶ୍ରେଣୀର ଛାତ୍ରୀଙ୍କ ତଣ୍ଟି କାଟିଦେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ମୁତାବକ, ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ନାକଚି ବଡ଼ଡ଼ଙ୍ଗୀ ଆଣି ଗ୍ରାମର ସଞ୍ଜୟ କୁମାର ପ୍ରଧାନଙ୍କ ଝିଅ ବିନାୟକ ଯୁକ୍ତ ଦୁଇ ଘରୋଇ କଲେଜର ହଷ୍ଟେଲରେ ରହି ପାଠ ପଢ଼ନ୍ତି। ଶୁକ୍ରବାର ରାତିରେ ସମ୍ପୃକ୍ତ ଛାତ୍ରୀ ନିଜ ରୁମରେ ଶୋଇଥିବା ବେଳେ ତାଙ୍କର କେହି ସହପାଠୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟିଦେଇଥିଲା।

ଏ ନେଇ କଲେଜ କର୍ତ୍ତୃପକ୍ଷ ଜାଣିବା ପରେ ଆହତ ଛାତ୍ରୀଙ୍କ ବାପାଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀ ପ୍ରଧାନ ହଷ୍ଟେଲକୁ ଆସି ତାଙ୍କ ଝିଅକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାକୁ ଆଣିବା ସହ ଅନୁଗୁଳ ସଦର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଖବର ପାଇ ପୋଲିସ ହଷ୍ଟେଲକୁ ଯାଇ କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଲା ସେ ନେଇ ତଦନ୍ତ ଚଳାଇଥିବା ଜଣାଯାଇଛି।