ଅନୁଗୁଳ: ‘ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୁଳ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କିମ୍ବା ସାମାଜିକ ସଂଗଠନର କାର୍ଯ୍ୟ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ଏକ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ବ୍ୟାପକ ବୃକ୍ଷରୋପଣ ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍ ଫୋନ୍ ବିତରଣ କରାଯାଇଥିଲା।
ଏହାଦ୍ୱାରା ସେମାନଙ୍କ କାର୍ଯ୍ୟକୁ ସହଜ କରିବା ସହ ସେମାନଙ୍କ ସେବାକୁ ସମ୍ମାନ ଦିଆଯାଇଛି। ଶ୍ରୀ ପ୍ରଧାନ ବଜାପରଡ଼ା ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଫଳ ବିତରଣ କରିଥିଲେ।