ମୁଖ୍ୟ ଖବର

୧୦ମ ଅନୁଗୁଳ ମହୋତ୍ସବ ଉଦଯାପିତ, ଆଶିଷ ଓ ଅବିନାଶଙ୍କ ସଙ୍ଗୀତ ଓ ଲେଜର ‘ସୋ’ ରେ ଦର୍ଶକ ମନ୍ତ୍ରମୁଗ୍ଧ

By Biswaranjan Pattnaik

January 22, 2023

ଅନୁଗୁଳ: ଦଶମ ଅନୁଗୁଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଷ୍ଟିଲ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ। ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ଅନୁଗୁଳ ମାଟିର ଇତିହାସ, ଗୌରବମୟ ପରମ୍ପରା ବାବଦରେ ଉଲ୍ଲେଖ କରିବା ସହ ଜିଲ୍ଲାରେ ଥିବା ପ୍ରଦୂଷଣର ମାତ୍ରାକୁ କମାଇବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସମରୋହରେ ପୌରିହିତ୍ୟ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଲର ବିକାଶ ପାଇଁ ଜନସାଧାରଣ, ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ମିଳିତ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଓ ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇଥିଲେ। ଅନୁଗୁଳ ବ୍ଲକପକ୍ଷରୁ ପାଇକ ଆଖଡ଼ା ଓ ବନରପାଳ ପକ୍ଷରୁ ଦଣ୍ଡ ନୃତ୍ୟ ଓ ସ୍ଥାନୀୟ କଳାକାର ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ।ସମାରୋହରେ ଆଖି ଖୋସି ହୋଇଗଲା ଭଳି ଲେଜର ସୋ ଦର୍ଶକଙ୍କ ମନ ମୋହିଥିଲା। ଲେଜର ଲାଇଟ ମାଧ୍ୟମରେ ଅନୁଗୁଳର ବିକାଶ ଓ ଜନ ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏହାପରେ ଆଶିଷ କୌର ଅବିନାଶ ଦାସ ଓ ଶୈଲେନ୍ଦ୍ର ସେମାନଙ୍କ ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ ଝୁମାଇଥିଲେ।ଅନ୍ତିମ ଦିବସରେ ପଲ୍ଲୀଶ୍ରୀ ମେଳାରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା।