ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଉଦଯାପିତ ହୋଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ସଭାପତି ତଥା ବରିଷ୍ଠ ପୋଲିସ ଅଧିକାରୀ ମାନସ ରଞ୍ଜନ ଗଡ଼ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଉଥିବା ନୂତନ ଶିକ୍ଷାନୀତି ସମ୍ପର୍କରେ ଅବତାରଣା କରିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ସମସ୍ତ ଶିକ୍ଷାନୁଷ୍ଠାନ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ପଛୁଆ ଥିବାରୁ ଏହି ଅଞ୍ଚଳ ସକାଶେ ଏଠାରେ ଏକ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ସକାଶେ ଉଭୟ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ଡଃ ଧରଣୀଧର ନାଥ, ସୁବର୍ଣ୍ଣ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ସୁଦୀପ ଗଡ଼ନାୟକ, ସାଧାରଣ ସମ୍ପାଦକ ରମାକାନ୍ତ ଗଡ଼ନାୟକ, ପ୍ରଧାନ ଶିକ୍ଷକ ଋଷଭ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ପଣ୍ଡିତ ମୋହନ ଗଡ଼ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ଥାନୀୟ ଆୟୋଜକ କମିଟି ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା।