ଅନୁଗୁଳ : ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷାମାସ ପାଳନର ଉଦଯାପନୀ ଉତ୍ସବ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ରୋକିବାକୁ ଜନ ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ମହାବିଦ୍ୟାଳୟସ୍ତରୀୟ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ସେହିପରି ୪ ଜଣ ଶ୍ରେଷ୍ଠ ଗାଡି ଚାଳକ ଏବଂ ଦୁର୍ଘଟଣା ସମୟରେ ସାହାଯ୍ୟ କରିଥିବା ୧୧ ଜଣ ବ୍ୟକ୍ତିବିଶେଷଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ସଡକସୁରକ୍ଷା କମିଟିର ସଦସ୍ୟ ସଂଗ୍ରାମ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଉପ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ନାରାୟଣ ବାଗ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ଅନ୍ତର୍ଯ୍ୟାମୀ ମିଶ୍ର, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସଭାପତି ଇଂ ଅମ୍ବିକା ପ୍ରସାଦ ଭଟ୍ଟ, ବସ ମାଲିକ ସଙ୍ଘ ସଭାପତି ମାନସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।