ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ସତ୍ୟଜିତ,ଆକାଂକ୍ଷା ଓ ଶୈଲେନ୍ଦ୍ରଙ୍କ ଗୀତରେ ଝୁମିଲେ ଦର୍ଶକ

By Biswaranjan Pattnaik

January 15, 2024

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍‌ରେ ଗତ ତିନି ଦିନଧରି ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା ଓ ସଙ୍ଗୀତର ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ପାଲଲହଡ଼ା ବିଧାୟକ ମୁକେଶ ପାଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଏବଂ ଯୁବ ମଙ୍ଗଳ ଅଧ୍ୟକ୍ଷ କୁନ ବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ମହୋତ୍ସବରେ ମୟୂରଭଞ୍ଜ ଛଉ,ପଞ୍ଜାବର ଭାଙ୍ଗଡା,ଗିଡା ଓ ଜିନ୍ଦୁଆ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ବେଳେ ସତ୍ୟଜିତ,ଆକାଂକ୍ଷା, ଶୈଲେନ୍ଦ୍ର ଓ ବଣ୍ଟି ଯୁବ ଦର୍ଶକଙ୍କୁ ନିଜ ନିଜ ଗୀତରେ ଝୁମେଇ ଥିଲେ। ସମାରୋହରେ ମହୋତ୍ସବର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ମହୋତ୍ସବ ଅବସରରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ କରାଯାଇଥିଲା ।