ଅନୁଗୁଳ: ଗ୍ରାମ ସ୍ଵରାଜ କେବଳ ଗ୍ରାମାଞ୍ଚଳ ଓ ବନବାସୀଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହା ସହର ବା ନଗରବାସୀଙ୍କ ଦ୍ବାରା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରବିବାର ନାଲ୍କୋ ନଗରଠାରେ ଅଭ୍ୟୁଦୟ ୟୁଥ୍ କ୍ଲବ୍ ଦ୍ବାରା ଆୟୋଜିତ ଏକଲ ଅଭିଯାନର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଆହୁରି କହିଥିଲେ ଯେ, କୌଣସି କାର୍ଯ୍ୟ ଗ୍ରାମାଞ୍ଚଳରୁ ହିଁଆରମ୍ଭ କଲେ ସଫଳ ହୋଇପାରିବ ବୋଲି ଜାତିର ଜନକ ମହାତ୍ମାଗାନ୍ଧୀ ଅନୁଭବ କରିଥିଲେ। ରାଜ୍ୟପାଳ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଖେଳକୁଦ କରିଥିଲେ। କାର୍ଯ୍ୟକ୍ରମରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ଏକଲ ଅଭିଯାନ ଓଡିଶା ସମ୍ଭାଗର ସଭାପତି ଅଶୋକ ମୁଦୁଲି ,ସମ୍ପାଦକ ରଥ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।
ପୂର୍ବରୁ ରାଜ୍ୟପାଳ ଅନୁଗୁଳ ସର୍କିଟ ହାଉସଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ଦେବା ସହିତ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵାଗତ ଜଣାଇଥିଲେ।