ଅନ୍ୟାନ୍ୟ

ଜାନୁଆରୀରୁ ମହଙ୍ଗା ହେବ ପୋଷାକ, ଜୋତା

By Angul TV Bureau

November 29, 2021

ଅନୁଗୁଳ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସ୍ଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସ୍‌ଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଫଳରେ ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଫାବ୍ରିକ୍ସ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବା ସହିତ ଯେକୌଣସି ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ମଧ୍ୟ ଟିକସ ହାର ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ଏହାପୂର୍ବରୁ କେବଳ ୧୦୦୦ ଟଙ୍କାରୁ ଊର୍ଦ୍ଧ୍ବ ପୋଷାକ ସାମଗ୍ରୀ ଉପରେ ୫ ପ୍ରତିଶତ ହାରରେ ଜିଏସ୍‌ଟି ଲାଗୁ ହେଉଥିଲା। ସେହିପରି ଫ୍ରାବ୍ରିକ୍ସ, ସିନ୍ଥେଟିକ୍‌ ୟାର୍ଣ୍ଣ,କମ୍ବଳ, ତମ୍ବୁ ଏବଂ ଅନ୍ୟାନ୍ୟ ଫାବ୍ରିକ୍ସ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବ। ତେବେ ପୋଷାକ ସାମଗ୍ରୀ ଉପରେ ଟିକସ ବୃଦ୍ଧିକୁ ଭାରତୀୟ ପୋଷାକ ଉତ୍ପାଦନକାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। କରୋନା କାଳରେ ଏହି କ୍ଷେତ୍ରର ବ୍ୟବସାୟୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ମୁଣ୍ଡ ଟେକିବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହି ସମୟରେ ସରକାର ଟିକସ ବୃଦ୍ଧି କରି ପୁଣିଥରେ ସେମାନଙ୍କୁ ସମସ୍ୟା ଘେରକୁ ଟାଣୁଛନ୍ତି ବୋଲି ସଂଘ କହିଛି।