କ୍ରୀଡ଼ା

ଅନୁଗୁଳରେ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଆରମ୍ଭ

By Biswaranjan Pattnaik

June 04, 2026

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ ପରିସରରେ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା–୨୦୨୬ ଉଦଘାଟିତ ହୋଇଛି। ଏଥିରେ ଆୟୋଜକ ଅନୁଗୁଳ ସମେତ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର ୮ଟି ଦଳ ଅଂଶଗ୍ରହଣ କରିଛନ୍ତି।

ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରଟିଓ ସମ୍ବିତ କୁମାର, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି ଓ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଲିସ ଟ୍ରେନିଂ କଲେଜ ବ୍ୟାଣ୍ଡର ସୁମଧୁର ବାଦ୍ୟ ସହ ଖେଳାଳିମାନେ ମାର୍ଚ୍ଚ ପାଷ୍ଟ କରିଥିଲେ। ଗ୍ରାମାଞ୍ଚଳର କ୍ରୀଡ଼ାବିତଙ୍କୁ ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୩୦୦ରୁ ଅଧିକ ଖେଳାଳି ଓ ଅଫିସିଆଲ ସାମିଲ ହୋଇଛନ୍ତି। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଅର୍ପଣ କରିଥିଲେ।