ମୁଖ୍ୟ ଖବର

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ : କୋଚିଂ ସେଣ୍ଟର ମାଲିକ ଗିରଫ

By Angul TV Bureau

October 27, 2025

ଅନୁଗୁଳ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୋଲିସ ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନ୍ତି ଓରଫ ଡମ୍ବରୁଧର ବେହେରା (୨୭)। ତାଙ୍କ ଘର ଠାକୁରଗଡ଼ ଥାନା ଅଞ୍ଚଳରେ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଡମ୍ବରୁଧର ଅନୁଗୁଳ ସହରରେ ଏକ କୋଚିଂ ସେଣ୍ଟର ପରିଚାଳନା କରୁଛନ୍ତି। ପୀଡ଼ିତା ଯୁକ୍ତ ୨ରେ ପଢୁଥିବା ବେଳେ ଉକ୍ତ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। କୋଚିଂ ସରିବା ପରେ ଅଭିଯୁକ୍ତ ତାଙ୍କୁ କୋଚିଂ ସେଣ୍ଟରରେ ପଢ଼ାଇବାକୁ ଅଫର ଦେଇଥିଲେ। ପରେ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିଥିଲେ। ଅନନ୍ତ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଧରାଛୁଆଁ ଦେଇ ନ ଥିବାରୁ ପ୍ରତାରଣାର ଶିକାର ହୋଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏ ବିଷୟ ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରବିବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।