ମୁଖ୍ୟ ଖବର

ତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

By Angul TV Bureau

February 26, 2023

ତାଳଚେର : ତିନି ଦିନ ଧରି ଚାଲିଥିବା ଗ୍ଲୋବାଲ କୋଲ ୱାସରି ପ୍ଲାଣ୍ଟର ପ୍ରଦୂଷଣ ବିବାଦ ଥମିବାର ନାଁ ନେଉନାହିଁ। ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରି ରେଳରୋକ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବନ୍ଦ କିମ୍ବା ସ୍ଥାନାନ୍ତର କରିବା ପାଇଁ ଆନ୍ଦୋଳନ ଚଳାଇଛନ୍ତି। ତାଳଚେର ବ୍ଲକର ଘଣ୍ଟପଡ଼ା ଓ ବଲଣ୍ଡା ମଧ୍ୟଭାଗରେ ଥିବା ଗ୍ଲୋବାଲ ଓ ଆରିୟନ କୋଲ ୱାସରୀ ସ୍ଥାନୀୟ ପରିବେଶକୁ ପ୍ରଦୂଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏଣୁ ଏହାକୁ ବନ୍ଦ କିମ୍ବା ସ୍ଥାନାନ୍ତରିତ ଦାବିରେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଭାମା ସାହୁଙ୍କ ନେତୃତ୍ୱରେ ମହିଳା ମଞ୍ଚ ୱାସେରୀ ଫାଟକ ସମ୍ମୁଖ ରାସ୍ତା ଉପରେ ଗଣଧାରଣା ଦେବା ସହ ୩ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି।

ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଜେଡି କାର୍ଯ୍ୟକର୍ତ୍ତା ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନ ଫଳରେ ୩ଦିନ ହେବ ୱାସରି କାର୍ଯ୍ୟ ବନ୍ଦ ରହିଛି। ଅପରପକ୍ଷେ ୱାସରି କାର୍ଯ୍ୟକୁ ଯଥାଶୀଘ୍ର ଚଳାଇବା ପାଇଁ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳ, ବିଜେପି ନେତା ବିଭୂତି ସାହୁ ଓ ଅନ୍ୟମାନେ ଆଜି ରେଳରୋକ ଆନ୍ଦୋଳନ କରି କୋଇଲା ଟ୍ରେନ ଚଳାଚଳକୁ ବନ୍ଦ କରିଛନ୍ତି। ଫଳରେ ଆଜି ତାଳଚେରରୁ ଟ୍ରେନ ଯୋଗେ କୋଇଲା ପରିବହନ ବନ୍ଦ ରହିଛି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରାଯିବା ସହ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ସନ୍ଧ୍ୟାରେ ଏକ ବୈଠକ ଡକାଯାଇଥିଲା। ସପକ୍ଷବାଦୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ମଧ୍ୟ ବିପକ୍ଷବାଦୀ ମାନେ ବୈଠକକୁ ଆସିନଥିଲେ। ଖବର ଅନୁସାରେ, ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଅଲଗା ଅଲଗା ଭାବେ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।