ମୁଖ୍ୟ ଖବର

ଓଡ଼ିଶାରେ ୧୫ରୁ ଶୀତ ଆରମ୍ଭ, ଥଣ୍ଡା ଓ କୁହୁଡ଼ି ସମ୍ଭାବନା

By Angul TV Bureau

October 11, 2025

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ, କିନ୍ତୁ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ। ୧୫ରୁ ରାତିରେ ତାପମାତ୍ରା କମିବା ଆରମ୍ଭ ହେବ ଏବଂ ୧୭ ତାରିଖ ସୁଦ୍ଧା କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇ ଶିଶିରପାତ ଓ କୁହୁଡ଼ିର ସମ୍ଭାବନା ରହିଛି।

୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ୫ ଦିନରୁ ଅଧିକ ସମୟ ରହି ଘନୀଭୂତ ହେବାର ଆଶଙ୍କା ରହିଛି। ତେବେ ଏହାର ଗତିପଥ ଓ ତୀବ୍ରତା ଏବେ ଅସ୍ପଷ୍ଟ। ୧୩ ତାରିଖରୁ ଦକ୍ଷିଣ-ପଶ୍ଚିମ ବାୟୁ ଉତ୍ତର-ପୂର୍ବ ବାୟୁରେ ପରିବର୍ତ୍ତନ ହେବା ସହ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକ ଅନୁଯାୟୀ, ଲା-ନିନାର ଆଗମନ ହୋଇଛି, ଯାହା ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରହି ଅଧିକ ବର୍ଷା ଓ ଶୀତ ଆଣିପାରେ।