ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାରଙ୍କ ସମେତ ଗ୍ରାମୀଣ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅନୁଗୁଳ ଉପଜିଲ୍ଲାପାଳ,ବିଡ଼ିଓ ଓ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଗଡସନ୍ତ୍ରି ସ୍ଥିତ ଲୋଭୀ ଠାକୁରାଣୀ ପୀଠ ବୁଲି ଦେଖିବା ସହ ଏହାର ଉନ୍ନତିକରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ଅନୁଗୁଳ ଠାରୁ ପ୍ରାୟ ଦଶ କିମି ଦୂର ମନ୍ଦରଗିରୀ ପାହାଡ଼ରେ ଥିବା ବିଭିନ୍ନ ମନ୍ଦିର ଓ ଏହାର ପରିବେଶ ବୁଲି ଦେଖିଥିଲେ। ମନ୍ଦରଗିରି ପାହାଡ଼ ଏହାର ସବୁଜିମା ଓ ଔଷଧ ବୃକ୍ଷ ପାଇଁ ଜିଲ୍ଲାରେ ପ୍ରସିଦ୍ଧି ଅର୍ଜନ କରିଛି। ମନ୍ଦରଗିରି ଓ ଲୋଭି ଠାକୁରାଣୀ ପୀଠର ଉନ୍ନତି ହେଲେ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି କୁହାଯାଉଛି।