ମୁଖ୍ୟ ଖବର

ଅନୁଗୁଳର ଗର୍ବ: ଦଶମ ପରୀକ୍ଷାର ଟପ୍ପର ଆଦ୍ୟାଶା ଓ ସେଲୋନିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

By Angul TV Bureau

May 23, 2026

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଦଶମ ପରୀକ୍ଷାରେ ଜିଲ୍ଲାସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଦୁଇଜଣ କୃତି ଛାତ୍ରୀଙ୍କୁ ଶୁକ୍ରବାର ଅନୁଗୁଳ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି।

ପରୀକ୍ଷାରେ ୫୭୮ (୯୬.୩୩%) ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପି.ଏମ୍. ଶ୍ରୀ ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ଆଚାର୍ଯ୍ୟ ଏବଂ ୫୬୫ (୯୪.୧୬%) ନମ୍ବର ସହ ଦ୍ୱିତୀୟ ସ୍ଥାନରେ ଥିବା ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସେଲୋନି ସାହୁଙ୍କୁ ଜିଲ୍ଲାପାଳ ସେମାନଙ୍କର ଏହି ଗୌରବମୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ ଉପସ୍ଥିତ ଥିଲେ। ଏଥିସହ ପି.ଏମ୍. ଶ୍ରୀ ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ସାହୁ ଏବଂ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ମଧ୍ୟ ଉପସ୍ଥିତ ରହି ଛାତ୍ରୀଦ୍ୱୟଙ୍କୁ ଉତ୍ସାହିତ କରିଥିଲେ। ମେଧାବୀ ଛାତ୍ରୀଙ୍କ ଏଭଳି ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।