ଅନୁଗୁଳ: ଦୀର୍ଘ ଦିନ ଧରି ନିର୍ମାଣ ଚାଲିଥିବା ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ବିଭିନ୍ନ ସମସ୍ୟା ଓ ଲୋକମାନଙ୍କର ବିରୋଧ ଯୋଗୁଁ ଆଗେଇପାରୁ ନାହିଁ। ସେହିପରି ଅନୁଗୁଳ ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବି ଆଖିଦୃଶିଆ ନୁହେଁ। ଜମି ଅଧିଗ୍ରହଣ, ବାଇପାସ୍ କାର୍ଯ୍ୟ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ବିଶେଷ ଆଗେଇପାରୁନି। ସୋମବାର ଅପରାହ୍ଣରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ଦୁଇ ପ୍ରକଳ୍ପର ସମୀକ୍ଷା କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ଅନୁଗୁଳ ଜିଲ୍ଲାପାଳ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ନ ସାରିଲେ ସମ୍ପୃକ୍ତ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।
ତାଳଚେର-ବିମଳାଗଡ ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକୁ ଆସନ୍ତା ୭ ମାସ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ଆନୁସଂଗିକ ପ୍ରକ୍ରିୟା କାର୍ଯ୍ୟ ତୁରନ୍ତ ସାରିବାକୁ ରେଳ କର୍ତ୍ତୃପକ୍ଷକୁ କୁହାଯାଇଛି। ତାଳଚେର ଓ ବିମଳାଗଡ ମଧ୍ୟରେ ରେଳବାଇର ନିୟମ ଅନୁଯାୟୀ ଓ ଲୋକମାନଙ୍କର ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ଅଣ୍ଡର ପାସ୍ ନିର୍ମାଣ କରିବାତ ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ଜାତୀୟ ରାଜପଥ-୫୫ର ବିଭିନ୍ନ ସମସ୍ୟା ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଜାତୀୟ ରାଜପଥରେ ପାଣି ନିଷ୍କାସନ ନିମନ୍ତେ ଡ୍ରେନ୍ ତିଆରି କରିବାକୁ ଜିଲ୍ଲାପାଳ କହିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣର ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ତଦନୁଯାୟୀ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବେ। ରାସ୍ତା ନିର୍ମାଣର ଡାଇଭରସନ୍ କାର୍ଯ୍ୟ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ ବଅଁରପାଳ-ଗୋଡିବନ୍ଧ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ କରିବା ସହ ଲୋକଙ୍କ ଦାବିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକୁ ଆଗେଇ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଜାତୀୟ ରାଜପଥ ନିର୍ମାଣରେ ଉଛେଦ ହୋଇଥିବା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ବିକଳ୍ପ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷକୁ କୁହାଯାଇଛି। ପ୍ରତ୍ୟେକ ରାସ୍ତା ନିର୍ମାଣ କାର୍ଯ୍ୟର ଏଷ୍ଟିମେଟ୍ ପ୍ରସ୍ତୁତ କରି ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା, ଡେପୁଟି କଲେକ୍ଟର ସରିତା ପ୍ରଧାନ, ଜାତୀୟ ରାଜପଥର ଭୂ-ଅର୍ଜନ ଅଧିକାରୀ ମନିଷା ଗୁପ୍ତା, ଭୂ-ଅର୍ଜନ ଅଧିକାରୀ ଇଶାନି ପଣ୍ଡା, ଗାୟତ୍ରୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ, ଅଗ୍ରୱାଲ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ, ସମ୍ବଲପୁର-ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।