ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। କେତେକ କଲେଜରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଅନୁଗୋଳ କଲେଜ ନିର୍ବାଚନ ଉପରେ ରହିଛି।
ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରାର୍ଥୀମାନେ କଲେଜ ବାହାରେ ଆକର୍ଷଣୀୟ ପୋଷ୍ଟର ଲଗାଇ ନିଜ ନିଜର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ଜଣାଉଛନ୍ତି। ଅନ୍ୟପଟେ କେତେକ ପ୍ରାର୍ଥୀ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି।
ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ପ୍ରଚାର ଅଭିଯାନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରଚାର ଅଭିଯାନରେ ଛାତ୍ର କଂଗ୍ରେସ ସଂଗଠନ ସକ୍ରିୟ ଭାବେ ନିଜର ପ୍ରଚାର ଜାରି ରଖିଛି।
ବିରୋଧୀଙ୍କ ବାହୁବଳ ଓ ଅର୍ଥବଳକୁ ଖାତିର ନକରି କଲେଜ ଛାତ୍ର ସଂଗଠନକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ ଆଦର୍ଶ ସଂଗଠନ ଭାବେ ଗଢ଼ିତୋଳିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବା ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଉଛି।
ତେବେ ନିର୍ବାଚନରେ କେଉଁ ସଂଗଠନ ବାଜିମାତ୍ କରିବ ଏବଂ ଛାତ୍ରଛାତ୍ରୀ କାହାକୁ ନିଜର ପ୍ରତିନିଧି ଭାବେ ବାଛିବେ, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।