ଘଟଣା ଓ ଦୁର୍ଘଟଣା

କଲେଜ ଛାତ୍ରୀ ଅପହରଣ ମାମଲା

By Biswaranjan Pattnaik

February 11, 2021

ବଅଁରପାଳ: ବଅଁରପାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଅପହରଣ ଅଭିଯୋଗକୁ ୧୦ ଦିନ ବିତିବା ପରେ ବି ପୁଲିସ ତଦନ୍ତ ବିଶେଷ ଆଗେଇ ପାରିନି। ଛାତ୍ରୀଙ୍କ ସନ୍ଧାନ ପୁଲିସ ପାଇ ନଥିଲାବେଳେ ଅପହରଣକାରୀଙ୍କୁ ମଧ୍ୟ ଧରିବାରେ ବିଫଳ ହୋଇଛି। କେବଳ ମାମଲାଟିଏ ରୁଜୁ କରି ପୁଲିସ ଚୁପ୍ ବସିଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି। ବଅଁରପାଳ ଥାନାରେ ଛାତ୍ରୀଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ, ଚଳିତ ମାସ ୧ ତାରିଖରେ ତାଙ୍କ ନାବାଳିକା ଝିଅ ତଳମୂଳ କଲେଜକୁ ପାଠ ପଢିବାକୁ ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ କଲେଜକୁ ଯାଇ ପଚାରି ବୁଝିବା ପରେ ଜାଣିବାକୁ ପାଇଥିଲେ ଯେ, ଝିଅ କଲେଜକୁ ଆସି ନାହାନ୍ତି। ପରେ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଶୁଣିବାକୁ ପାଇଥିଲେ ଯେ, ସେହି ଗ୍ରାମର ଜଣେ ଯୁବକ ତାଙ୍କ ଝିଅକୁ କଲେଜ ରାସ୍ତାରୁ ଅପହରଣ କରି ନେଇଛି। ଅପହରଣ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।