ଅନୁଗୁଳ: ନାଳରେ ଭାସିଗଲେ କଲେଜ ଛାତ୍ରୀ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ ଜଣେ କଲେଜ ଛାତ୍ରୀ ନାଳରେ ଭାସିଯାଇଛନ୍ତି। ଛାତ୍ରୀଜଣକ ହେଲେ ସୁନାଭୁଇଁ ଗାଁର ପ୍ରୀତି ବେହେରା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, ପ୍ରୀତି ଆଜି ସକାଳେ କଲେଜରୁ ସାଇକେଲ ଯୋଗେ ଗାଁକୁ ଫେରୁଥିଲେ। ବାଟରେ ଘୁଡ଼ାବୁଡ଼ା ନାଳ ଉପରେ ଚାରି ଫୁଟରେ ପାଣି ଯାଉଥିଲା। ନାଳ ଉପରେ ସେ ସାଇକେଲ ଗଡ଼େଇ ଗଡ଼େଇ ଯାଉଥିବା ବେଳେ ପାଣି ଆସିବାରୁ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ପାଣିରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ଅଗ୍ନିଶମ ବିଭାଗର ସାହାଯ୍ୟ ନେଇଥିଲେ। ଆଗ୍ନିକମାନେ ତାଙ୍କୁ ଖୋଜାଖୋଜି କରୁଛନ୍ତି। ଘଟଣାସ୍ଥଳରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି।