ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲ୍ଲୀ ପଞ୍ଚାୟତର ଝାରବନ୍ଧଲୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଚରମ ସୀମାରେ ପହଞ୍ଚିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଠେଙ୍ଗାମାଡ଼ ଓ ଗୁଳିକାଣ୍ଡ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗ୍ରାମରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ସୂଚନା ଅନୁଯାୟୀ, ଗତ ଦୋଳଯାତ୍ରା ସମୟରେ ଝାରବନ୍ଧଲୀ ଗ୍ରାମର କିଛି ଯୁବକ ବାମୁର ଦୋଳଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ମାଣିକପୁର ଗ୍ରାମର ଯୁବକମାନଙ୍କ ସହ କୌଣସି କାରଣକୁ ନେଇ ବଚସା ଓ ପରେ ମାଡ଼ପିଟ ହୋଇଥିଲା। ଏହାକୁ ନେଇ ଝାରବନ୍ଧଲୀ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିକ୍ଷୋଭ କରିଥିଲେ। ପୋଲିସର ପ୍ରତିଶ୍ରୁତି ପରେ ସେମାନେ ଶାନ୍ତ ପଡ଼ିଥିଲେ।ଆଜି ପୂର୍ବ ରାଗ ଶୁଝାଇବା ପାଇଁ ମାଣିକପୁର ଗ୍ରାମର କିଛି ଯୁବକ ବନ୍ଧୁକ ଓ ଠେଙ୍ଗା ଧରି ଝାରବନ୍ଧଲୀ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ଗାଁ ଭିତରକୁ ପଥର ମାଡ଼ କରିବା ସହ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଖବର ପାଇ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ଯୁବକମାନେ କାହାରି ଶୁଣିନଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଘଟିଥିଲା।ଏହି ହିଂସାକାଣ୍ଡରେ ଉଭୟ ଗ୍ରାମର ଯୁବକମାନେ ଆହତ ହୋଇଛନ୍ତି। ଝାରବନ୍ଧଲୀ ଗ୍ରାମର ପ୍ରଶାନ୍ତ ମିର୍ଦ୍ଧା, ସୁଶାନ୍ତ ମିର୍ଦ୍ଧା ଓ ଲମ୍ବୋଦର ମିର୍ଦ୍ଧା ଆହତ ହୋଇ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ସେହିପରି ମାଣିକପୁର ଗ୍ରାମର ମଦନ ଓ ଲୋକନାଥ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ ଉମା ଚରଣ ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରାମରେ ଶାନ୍ତି ରକ୍ଷା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଲୋକଙ୍କୁ ବୁଝାସୁଝା କରାଯାଇଛି। ବର୍ତ୍ତମାନ ଝାରବନ୍ଧଲୀ ଓ ମାଣିକପୁର ଗାଁ ପୋଲିସ ଛାଉଣିରେ ପରିଣତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।