ଘଟଣା ଓ ଦୁର୍ଘଟଣା

କାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

By Angul TV Bureau

February 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଅଞ୍ଚଳରେ ଥିବା ଶନି ମନ୍ଦିର ଗୋଷ୍ଠୀ କେନ୍ଦ୍ର ନିର୍ମାଣର ବିଲ୍ ପୈଠ କରାଯାଉନଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଶୋରନଗର ବ୍ଲକ ପ୍ରଶାସନ ବିଲ୍ ପୈଠ କରିବା ପାଇଁ ଉଦ୍ୟମ କରୁନଥିବା ବେଳେ ୨  ଲକ୍ଷ ଟଙ୍କା ବିଲରେ ୪୦ ହଜାର ଟଙ୍କା ପିସି ମାଗୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଦିନ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ଅଭିଯୋଗ ମୁତାବକ, ଶନି ମନ୍ଦିର ନିକଟରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୨୦୨୨ ମସିହାରେ ତତତ୍କାଳ ବିଧାୟକ ରମେଶ ଚନ୍ଦ୍ର ସାଏ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ କ୍ରିଟିକାଲ ଟ୍ୟାପ ଫଣ୍ଡରୁ ୨୦୨୩-୨୦୨୪ ଆର୍ଥିକ ବର୍ଷର ୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଏହି କାମ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବା ବେଳେ କାମ ଆରମ୍ଭ ହୋଇଥିଲା। ଏପରିକି ୨ ଲକ୍ଷ ଟଙ୍କାର କାମ ହୋଇ ସାରିଥିବା ବେଳେ ବିଲ ପାସ ହୋଇ ପାରୁ ନାହିଁ।

ବିଲ ପୈଠ ପାଇଁ ବ୍ଲକ ପ୍ରଶାସନର ଜଣେ ଅଧିକାରୀ ୪୦ ହଜାର ଟଙ୍କା ପିସି ମାଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ପ୍ରକଳ୍ପର ବିଲ୍ ପାସ କରାନଗଲେ କିଶୋରନଗର ବ୍ଲକ ଘେରାଉ କରାଯାଇ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଏ ନେଇ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କୁ ପଚାରିବାରୁ, ଉକ୍ତ ପ୍ରକଳ୍ପର ମଂଜୁର ଅର୍ଥ ଫେରିଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏହି କାମ ପାଇଁ କୌଣସି ପିସି ମଗା ଯାଇନାହିଁ। ଏହା ସମ୍ପୂର୍ଣ୍ଣ ମିଛ। ତୁରନ୍ତ ବିଲ ପାସ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।