ମୁଖ୍ୟ ଖବର

ଲଭ-ସେକ୍ସ-ଧୋକା: ପାଳଲହଡ଼ାର ଯୁବ ବ୍ୟବସାୟୀଙ୍କ ନାଁରେ ବଲାଙ୍ଗୀର ଯୁବତୀଙ୍କ ଏତଲା

By Angul TV Bureau

November 26, 2026

ଅନୁଗୋଳ: ସୋସିଆଲ୍ ମିଡିଆରୁ ଆରମ୍ଭ ହୋଇଥିବା ପରିଚୟ ପ୍ରେମ ସମ୍ପର୍କର ରୂପ ନେଇଥିଲା। ହେଲେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ବିବାହ ପାଇଁ ମନା କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା। ଏନେଇ ସେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନାରେ ଜଣେ ଯୁବ ବ୍ୟବସାୟୀ ତଥା ଯୁବନେତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ମୁତାବକ, ପ୍ରାୟ ତିନି ମାସ ପୂର୍ବେ ଫେସବୁକ୍‌ ଜରିଆରେ ପାଳଲହଡ଼ା ସହରର ଜଣେ ଯୁବ ବ୍ୟବସାୟୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଫୋନ୍‌ରେ କଥାବାର୍ତ୍ତା ବଢ଼ିବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ସମୟରେ ଯୁବକ ଜଣକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ମହିଳା କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୨୦ ତାରିଖରେ ଯୁବକ ଜଣକ ମହିଳାଙ୍କ ଗାଁକୁ ଯାଇ ତାଙ୍କୁ ପାଳଲହଡ଼ା ଆଣିଥିଲେ। ସେଠାରେ ଏକ ଲଜ୍‌ରେ ରଖି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ସେ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ମହିଳା ଜଣକ ବିବାହ ପାଇଁ ଦାବି କରିବାରୁ ଯୁବକ ଜଣକ ବିଭିନ୍ନ ବାହାନା ଦେଖାଇବା ସହ ଶେଷରେ ବିବାହ କରିବାକୁ ଅସ୍ୱୀକାର କରିଥିଲେ। ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ନ୍ୟାୟ ଦାବି କରି ମହିଳା ଜଣକ ଗୁରୁବାର ପାଳଲହଡ଼ା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତି କହିଛନ୍ତି ଯେ, ଘଟଣାଟି କେଉଁ ଥାନା ଅଞ୍ଚଳରେ ଘଟିଛି, ତାହା ପ୍ରଥମେ ଯାଞ୍ଚ କରାଯିବ। ଏହାପରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।