ଅନୁଗୁଳ: କୋଭିଡ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ଏହି ସମସ୍ୟାରୁ ଜନସାଧାରଣ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ନେତୃତ୍ୱରେ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ସୋମବାର ସକାଳ ୯ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅନୁଗୁଳ ମୁଖ୍ୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଦ୍ୟୁତ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଅନୁଗୁଳ ଜିଲ୍ଲାର ସମସ୍ତ ପୂର୍ବତନ ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ନଗର ସଭାପତି, ବରିଷ୍ଠ ନେତା ଓ ବହୁ ସଂଖ୍ୟକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ ।