ମୁଖ୍ୟ ଖବର

ଏଲପିଜି ଦରବୃଦ୍ଧିର ପ୍ରତିବାଦ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

By Angul TV Bureau

March 17, 2026

ଅନୁଗୁଳ: କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ବୃଦ୍ଧି ପାଉଥିବା ରନ୍ଧନ ଗ୍ୟାସ ଦର ଏବଂ ବଜାରରେ ଏହାର କୃତ୍ରିମ ଅଭାବକୁ ନେଇ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ବାଇକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କେନ୍ଦ୍ର ସରକାରଙ୍କ ବିଫଳତା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଗ୍ୟାସ ଦର ବୃଦ୍ଧି କରାଯାଉଥିବା ଅଭିଯୋଗ କରି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ କଂଗ୍ରେସ ନେତାମାନଙ୍କଠାରୁ ଏହି ସ୍ମାରକପତ୍ର ଗ୍ରହଣ କରିଥିଲେ।

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦେଶରେ ତୈଳ ଓ ଗ୍ୟାସର ପ୍ରଚୁର ମହଜୁଦ ଥିବା ନେଇ ସରକାର ଦାବି କରୁଥିଲେ ସୁଦ୍ଧା ବାସ୍ତବରେ ଡିଲରମାନଙ୍କ ପାଖରେ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ କଳାବଜାରୀ କରୁଥିବା ବେଳେ ଯୋଗାଣ ବିଭାଗର କୌଣସି ନିୟନ୍ତ୍ରଣ ରହୁନାହିଁ। ସାଧାରଣ ଖାଉଟିଙ୍କ ଉପରେ ବୋଝ ଲଦି ଦିଆଯାଇ ଘରୋଇ ଗ୍ୟାସ ଟାଙ୍କି ପିଛା ୬୦ ଟଙ୍କା ଏବଂ ବାଣିଜ୍ୟିକ ଗ୍ୟାସ ଟାଙ୍କି ପିଛା ୧୨୦ ଟଙ୍କା ବୃଦ୍ଧି କରାଯାଇଛି।ଖାଉଟିମାନେ ଅତିଷ୍ଠ ହୋଇପଡ଼ିଥିବାରୁ ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କଂଗ୍ରେସ ଦାବି କରିଛି।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ତପନ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ଦିଗାମ୍ବର ଗଡନାୟକ, ବିରଞ୍ଚି ନାରାୟଣ ଧର, ରୂପାଦୀପ୍ତା ମହାପାତ୍ର, ସନ୍ତୋଷ ପଟ୍ଟନାୟକ, ଅମୂଲ୍ୟ ବେହେରା, ସଞ୍ଜୀବ କୁମାର ମାଣ୍ଡୋଠିଆଙ୍କ ସମେତ ଅଳକାରାଣୀ ମହାପାତ୍ର, ମାନିନୀ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ।