ଅନୁଗୋଳ: ଏମଏମଡିଆର୍ ସଂଶୋଧନ ଅଧିନିୟମ-୨୦୨୬ ବିରୋଧରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଆଞ୍ଚଳିକ ସମାବେଶ ପରିପ୍ରେକ୍ଷୀରେ ଅନୁଗୋଳ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଦଳର ମତ ରଖିଥିଲେ।
ସଗରିଆଙ୍କ ଅଭିଯୋଗ ଅନୁସାରେ, ନୂଆ ଆଇନ ଯୋଗୁଁ ରାଜ୍ୟଗୁଡ଼ିକର ଖଣିଜ ରାଜସ୍ବ ଅଧିକାର ପ୍ରଭାବିତ ହେବ। ଏହାଦ୍ୱାରା ଓଡ଼ିଶା ବାର୍ଷିକ ପ୍ରାୟ ୧୨ରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ହରାଇପାରେ ବୋଲି ସେ କହିଥିଲେ। ଏନେଇ କଂଗ୍ରେସ ଆସନ୍ତା ୨୭ ତାରିଖର ସମାବେଶରେ ଆନ୍ଦୋଳନକୁ ଜୋରଦାର କରିବାକୁ କହିଛି। ଏହି ଦାବିକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ବନ୍ଦ ଭଳି ପଦକ୍ଷେପର ଚେତାବନୀ ଦିଆଯାଇଛି।ସମ୍ମିଳନୀରେ ତପନ ପ୍ରଧାନ, ସୁଦୀପ ମିଶ୍ର, ଗୋପାଳ ଚନ୍ଦ୍ର ନାଥ ଓ ରାକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।