ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଆଡଭୋକେଟ ଗୋପାଳ ନାଥଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଜୟନ୍ତ ମହାନ୍ତି, ଯୁବନେତା ଜିତେନ୍ଦ୍ର ସାହୁ, ଜୟନ୍ତ ସାହୁ, ବଲବୀର ସିଂହ, କ୍ଷୀରୋଦ ପଟ୍ଟନାୟକ, ଦିଗମ୍ବର ଗଡ଼ନାୟକ, ମହିଳା କଂଗ୍ରେସ ପକ୍ଷରୁ ତପସ୍ଵିନୀ ବିଶ୍ଵାଳ ଓ ଅନ୍ୟ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।
ସମ୍ମିଳନୀରେ ଶ୍ରୀ ମହାନ୍ତି ବିଜେପି ସରକାରର ଭ୍ରଷ୍ଟାଚାରକୁ କଡା ଭାଷାରେ ନିନ୍ଦା କରିବା ସହ ପୁଞ୍ଜିପତି ଆଦାନୀଙ୍କ ହାତରେ ଦେଶର ଅଧିକାଂଶ ପ୍ରକଳ୍ପ ଗୁଡ଼ିକୁ ଟେକି ଦେଇ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଥିବା ଅଭିଯୋଗ କରିଥିଲେ। ହିଡେନ ବର୍ଗ ରିପୋର୍ଟ ଆଦାନୀ ଓ ମୋଦିଙ୍କ ମଧ୍ୟରେ ଥିବା ସଂପର୍କ ଉପରେ ଏକ ବଡ଼ ପ୍ରହାର ଏବଂ ଦେଶର ଅର୍ଥନୀତି ଏହାଦ୍ବାରା ନିମ୍ନଗାମୀ ହେଲା ବୋଲି ଅଭିଯୋଗ କରିଥିଲେ। ଜାତୀୟ କଂଗ୍ରେସ ଏହାକୁ ନିନ୍ଦା କରିବା ସହ ଖୁବ୍ ଶୀଘ୍ର ଏହାକୁ ରାଜ୍ୟ ସ୍ତରୀୟ ପ୍ରସଙ୍ଗ କରିବ ବୋଲି ମଞ୍ଚାସିନ ଅତିଥି ମାନେ ପ୍ରକାଶ କରିଥିଲେ।