ଅନୁଗୁଳ : ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା କାଉନସିଲର ବଲବୀର ସିଂ ଗୁରୁବାର ପୁର୍ବାହ୍ନରେ ଏକ ଶାନ୍ତି ମହା ଯଜ୍ଞର ଆୟୋଜନ କରିଥିଲେ। ସୂଚନା ମୁତାବକ, ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ସମୟରେ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚାରିକୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ। ଯାହାକୁ ନେଇ ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଅବଶ୍ୟ ପରେ ଶ୍ରୀ ସିଂ ଏହାକୁ ସ୍ଲିପ ଅଫ ଟଙ୍ଗ ବୋଲି କହି ବିରୋଧୀଙ୍କ ଚର୍ଚ୍ଚାକୁ ଥଣ୍ଡା କରିଦେଇଥିଲେ। ଏସବୁ ସତ୍ତ୍ୱେ ପୂର୍ବତନ କାଉନସିଲର ଶ୍ରୀ ସିଂହ ଏହି ଶାନ୍ତି ଯଜ୍ଞ କରି ଜଗନ୍ନାଥ, ଅନୁଗୁଳ ବିଧାୟକଙ୍କୁ କ୍ଷମା କରିଦେବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଡିସିସି ସଭାପତି ବିପ୍ଳବ ଜେନା, ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ, କଂଗ୍ରେସ ନେତା ନିଳକଣ୍ଠ ନାଏକ, ଛାତ୍ର କଂଗ୍ରେସ ନେତା ଲୁଟୁରଞ୍ଜନ ଥାପା, ଲୁଲୁ ପାଣିଗ୍ରାହୀ ଓ ଅନ୍ୟ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।