ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ବିରୋଧ; କଂଗ୍ରେସ କର୍ମୀଙ୍କ କଳାପତାକା ପ୍ରଦର୍ଶନ

By Angul TV Bureau

April 18, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ଓ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁଗୁଳ ଗସ୍ତ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜିନ୍ଦଲ ଏୟାରଷ୍ଟ୍ରିପ୍‌ରୁ ବାହାରି ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ ହେମସୁରପଡ଼ା ନିକଟରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। କଂଗ୍ରେସ କର୍ମୀ ସୁଦୀପ ମିଶ୍ର ଓ ରଶ୍ମିରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ସମ୍ମୁଖରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଘଟଣାସ୍ଥଳରେ ନିୟୋଜିତ ପୋଲିସ ତତକ୍ଷଣାତ ଉଭୟଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ସଭାପତି ସୁନୀଲ ପ୍ରଧାନ ଏକ ପ୍ରେସ ବିବୃତି ଜରିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ସଦର ଥାନାରେ ତାଙ୍କ ସମେତ ବହୁ କର୍ମକର୍ତ୍ତାଙ୍କୁ ଅଟକ ରଖିଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ନେଇ କଂଗ୍ରେସ ସ୍ୱର ଉଠାଉଥିବା ବେଳେ ପ୍ରାଶାସନିକ ସ୍ତରରେ ଗାଣତାନ୍ତ୍ରିକ ପ୍ରତିବାଦକୁ ଦମନ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଏହି କଳାପତାକା ପ୍ରଦର୍ଶନ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।