ଅନୁଗୋଳ: ଅନୁଗୋଳ ଜିଲ୍ଲା ଜୋନ-୧ କଂଗ୍ରେସ ପକ୍ଷରୁ ଗତ ରବିବାର ଟାଇଁସୀ ହାଟପଦାଠାରେ ଏକ ବର୍ଣ୍ଣାଢ଼୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜୋନ ସଭାପତି ଦାମୋଦର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଅନୁସୂଚିତ ଜନଜାତି କଂଗ୍ରେସ ସାଧାରଣ ସମ୍ପାଦକ ଟିକନ କୁମାର ବେହେରା ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଜୟାନନ୍ଦ ଚାଉଳିଆ କହିଲେ ଯେ, ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ ଓ ସୁଦୃଢ କରିବା ଆଜିର ସମୟର ଆବଶ୍ୟକତା। ବିଶେଷକରି ଯୁବ ଓ ଛାତ୍ର ସମାଜକୁ ସଂଗଠନର ମୁଖ୍ୟ ସ୍ରୋତରେ ସାମିଲ କରି ଦଳକୁ ଆଗକୁ ବଢ଼ାଇବା ପାଇଁ ସେ ପରାମର୍ଶ ଦେଇଥିଲେ।ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ରାକେଶ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦଳୀୟ ରଣକୌଶଳ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପସଭାପତି ସୌଭାଗ୍ୟ ବିଶ୍ବାଳ, ବିଷ୍ଣୁ ଚରଣ ବିଶ୍ବାଳ, ବିକାଶ ସାହୁ ଓ ପବିତ୍ର ପଲେଇ ପ୍ରମୁଖ ମଞ୍ଚାସୀନ ରହି ସଂଗଠନକୁ ମଜବୁତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଶତାଧିକ କର୍ମୀ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ।