ଅନୁଗୋଳ: ସହରରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତାକୁ ବିରୋଧ କରି ଆଜି ସକାଳ ଅନୁଗୁଳ ନଗର କଂଗ୍ରେସ ତରଫରୁ ୯ ନଂ ୱାର୍ଡରେ “ଡଙ୍ଗା ଭସା” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
୯ ନଂ ୱାର୍ଡର ବଣିଆବାହଳ ଓ ମିଶ୍ର ପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ କଂକ୍ରିଟ ରାସ୍ତା ବର୍ଷା ପାଣିରେ ଜଳାଶୟ ହୋଇଯିବାରୁ ଉଭୟ ଅଞ୍ଚଳ ପରସ୍ପରଠାରୁ ବିଛିନ୍ନ ହୋଇପଡ଼ିଛି। ଫଳରେ ଲୋକେ ଗମନାଗମନରେ ଚରମ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସମ୍ପୂର୍ଣ୍ଣ ୯ ନଂ ୱାର୍ଡ ଜଳମଗ୍ନ ହୋଇ ବନ୍ୟାର ରୂପ ନେଇଛି। ଏହାକୁ ପ୍ରତିବାଦ କରି ଅନୁଗୋଳ ନଗର କଂଗ୍ରେସ ସଭାପତି ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଉକ୍ତ ଜଳମଗ୍ନ ରାସ୍ତାରେ ଡଙ୍ଗା ଭସାଇ ସରକାରଙ୍କ ବିଫଳତାକୁ ଦେଖାଇଛନ୍ତି। ଶ୍ରୀ ସାହୁ କହିଛନ୍ତି, “ସରକାର ଓ ବିଧାୟକ ଦୁଇ ବର୍ଷର ବିକାଶର ଢୋଲ ବଜାଉଥିବା ବେଳେ ସହରବାସୀ କିପରି ବିନାଶର ଦିନ ଭୋଗୁଛନ୍ତି ତାହା ଆଜି ପ୍ରମାଣିତ ହୋଇଛି।”
ଏହି ପ୍ରତିବାଦରେ ନଗର ସମ୍ପାଦକ ପ୍ରତାପ କୁମାର ସେଠୀ, ନଗର କଂଗ୍ରେସ ଉପ ସଭାପତି ସୁଶିଲ ମିଶ୍ର, କୋଷାଧ୍ୟକ୍ଷ ରାକେଶ ସାହୁ, ରାଜେନ୍ଦ୍ର ଦାସ, ପ୍ରଶାନ୍ତ ସେଠୀ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ଥିଲେ। ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ଏହିଭଳି ଡଙ୍ଗା ଭସାଇ ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ସାହୁ ଘୋଷଣା କରିଛନ୍ତି।