ଅନୁଗୁଳ: ମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରିବାକୁ ଷଡ଼ଯନ୍ତ୍ର। ପ୍ରଶାସନର ଦ୍ୱାରସ୍ଥ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡା ତହସିଲବାସୀ।ସୂଚନା ମୁତାବକ, ପାଳଲହଡା ଉପଖଣ୍ଡ ଝାରବେଡା ପଂଚାୟତ ଟେଣ୍ଟଇନାଲି ଗାଁର ହାଡ଼ି ପଲେଇଙ୍କ ନାମରେ ଖାତା ନମ୍ବର -୩୧ ରେ ୧୭ .୫୩ ଡେସିମିଲ ଜାଗା ପଟ୍ଟା ରହିଛି। ହାଡ଼ି ପଲେଇଙ୍କର ୧୯୭୫ ମସିହା ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ରାଜସ୍ବ ଆଇନ ଅନୁସାରେ ୧୯୭୫ ମସିହା ସେଟେଲମେଣ୍ଟ ପଟ୍ଟା ପ୍ରକାଶନ ବେଳେ ହାଡ଼ି ପଲେଇ ଙ୍କ କୌଣସି ଉତ୍ତରାଧିକାରୀ ନଥିବାରୁ ସମସ୍ତ ଜାଗା ଗ୍ରାମର ବିଭିନ୍ନ ବ୍ୟକ୍ତି ଜବରଦଖଲ କରିଥିବା ଦର୍ଶାଯାଇଛି।
ମାତ୍ର ଗତ ନଭେମ୍ବର ମାସ ୧୧ ତାରିଖରେ ପାଳଲହଡା ତହସିଲ କନ୍ତଳା ରାଜସ୍ବ କାର୍ଯ୍ୟାଳୟର ରାଜସ୍ବ ନିରୀକ୍ଷକ ବର୍ତ୍ତମାନର ନୂଆ ରାଜସ୍ବ ନିୟମ ଆଧାରରେ ଝାରି ବୋଇତା ନାମ୍ନୀ ମହିଳାଙ୍କୁ ହାଡ଼ି ପଲେଇଙ୍କ ଉତ୍ତରାଧିକାରୀ ଦର୍ଶାଇ ପଟ୍ଟା ସଂଶୋଧନ କରିବାକୁ ଅନଲାଇନ ମାଧମରେ ତହସିଲଦାରଙ୍କ ନିକଟକୁ ପଠାଇଥିବା ଜଣାପଡିଥିଲା। ଏନେଇ ଖବର ପାଇବା ପରେ ୧୩ ତାରିଖରେ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରିଥିଲେ। ତହସିଲଦାର ଅଭିଯୋଗ ଆଧାରରେ ଉତ୍ତରାଧିକାରୀ ସୂତ୍ରରେ ଖଟିଆନ ପରିବର୍ତ୍ତନରେ ରୋକ ଲାଗିଛି।
୧୬ ତାରିଖ ଦିନ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ପାଳଲହଡା ପଂଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକଙ୍କ ନେତୃତ୍ୱରେ ପାଳଲହଡା ଥାନାରେ ଅଭିଯୋଗ ଦାଖଲ କରିଥିଲେ। ହେଲେ ଦୀର୍ଘ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀ ପୁଣି ଅନୁଗୁଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଇତି ମଧ୍ୟରେ ପ୍ରଜା ଖାତା ସଂଶୋଧନ ହୋଇ ହାଡ଼ି ପଲେଇଙ୍କ ଉତ୍ତରାଧିକାରୀ ଭାବେ ଝାରି ବୋଇତଙ୍କୁ ଦର୍ଶାଯାଇଛି। ହେଲେ ତାଙ୍କ କାଗଜପତ୍ରରେ କିନ୍ତୁ ଭୁଲ ଠିକଣା ଦର୍ଶାଯାଇଛି, ଯାହା ସେ ଜାଲିଆତି କରିଛନ୍ତି ବୋଲି ପ୍ରମାଣ କରୁଛି। ଏଣୁ ଯଥା ଶୀଘ୍ର ପ୍ରଶାସନ ଏହି ଜମି ଜାଲିଆତିରେ ସମ୍ପୃକ୍ତ ଦଲାଲଙ୍କୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି।