ଆଠମଲ୍ଲିକ: ଛାତଘର ନିର୍ମାଣ ତ ଦୂରର କଥା, ପଟା ଓ ମାଟି ପକାଇ ଆଟୁଘର ର୍ନିମାଣରେ ବି ପରିବାର ସଦସ୍ୟଙ୍କ ଉପରେ ଠାକୁରଙ୍କ କୋପ ପଡ଼ିବ। ଏହିପରି ଅନ୍ଧବିଶ୍ବାସ ଯୋଗୁଁ ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମରେ ଛାତଘରଟିଏ ଦେଖିବାକୁ ମିଳୁନଥିଲା। ପକ୍କା ଛାତଘର ତ ଦୂରର କଥା ଆଟୁଘରଟିଏ ବି ଦେଖିବା ସ୍ବପ୍ନ। ଏହି ସମସ୍ୟା କାରଣରୁ ‘ଆବାସ’ ଯୋଜନାରେ ଘରଖଣ୍ତିଏ ନିର୍ମାଣ କରିପାରୁନାହାନ୍ତି ବେଲାଦୁଲା ଗ୍ରାମବାସୀ। ତେବେ ବର୍ଷ ବର୍ଷ ଧରି ବେଲାଦୁଲା ଗ୍ରାମବାସୀଙ୍କ ମନରେ ରହିଥିବା ଏ ଅନ୍ଧବିଶ୍ବାସ ଦୂର କରିବାକୁ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ। ବୁଧବାର ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଛାତପକା ଘର ନିର୍ମାଣ ହୋଇଛି। ଆଠମଲ୍ଲିକ ବ୍ଲକ୍ କନ୍ଧପଡ଼ା ପଞ୍ଚାୟତରେ ମହାନଦୀ କୂଳରେ ଅବସ୍ଥିତ ବେଲାଦୁଲା ଗ୍ରାମ। ପ୍ରାୟ ୨୦୦ ବର୍ଷ ପୁରୁଣା ଜନବସତି। ଅତୀତରେ ଆଟୁଘର ନିର୍ମାଣ କରି ପରିବାର ସଦସ୍ୟ ଅକାଳ ମୃତ୍ୟୁମୁଖରେ ପଡ଼ିଥିବାରୁ ସେହି ଦିନରୁ ଏହି ଗ୍ରାମରେ କୌଣସି ବ୍ୟକ୍ତି ଆଟୁଘର ଏବ˚ ଛାତ ପକ୍କାଘର ନିର୍ମାଣ କରୁନଥିଲେ। ଏଣୁ ଗ୍ରାମର ୨୯ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ମଧ୍ଯ କରିପାରୁନଥିଲେ। ସରକାରୀ ଯୋଜନାରେ ବି କୌଣସି ଛାତପକା ଘର ନିର୍ମାଣ ହୋଇପାରୁନଥିଲା। ଗ୍ରାମର କେତେକ ବ୍ୟକ୍ତି ଛାତପକା ଘର ନିର୍ମାଣ ଆରମ୍ଭ କରିଥିବା ବେଳେ ଯୁବଗୋଷ୍ଠୀ ଏପରି ବିଶ୍ବାସକୁ ଜନସାଧାରଣଙ୍କ ମନରୁ ଦୂର କରିବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜଗନ୍ନାଥଙ୍କ ନିମନ୍ତେ କୋଠଘର ନିର୍ମାଣ ଆରମ୍ଭ ହୋଇଥିଲା। ବ୍ଲକ୍ ପ୍ରଶାସନ ଏଥିଲାଗି ୩ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲା। ଉତ୍ସାହୀ ଯୁବଗୋଷ୍ଠୀ ଏଥିଲାଗି ଟଙ୍କା ମଧ୍ୟ ଦାନ କରିଥିଲେ। ବୁଧବାର ଏହି କୋଠଘର ଛାତ ପଡ଼ିଛି। ଏହି କାର୍ଯ୍ୟରେ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ବେହେରା, ସୁରେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଛାତଘର ନିର୍ମାଣ ହେଉଥିବା ଯୋଗୁଁ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।