ମୁଖ୍ୟ ଖବର

ଏନଏଚ୍ ୫୫ ନିର୍ମାଣ ଖୁବଶୀଘ୍ର ଆରମ୍ଭ ହେବ

By Biswaranjan Pattnaik

April 04, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ୫୫ ନମ୍ୱର୍ ଜାତୀୟ ରାଜପଥ ଅନେକାଂଶରେ ନଷ୍ଟ ହୋଇଯାଇଛି ଏଥି ନେଇ ଗତ ଦୁଇ ବର୍ଷ ଭିତରେ ଅନୁଗୁଳ ବାସୀ ଆନ୍ଦୋଳନ ବହୁ କରିଛନ୍ତି। ସାଂସଦ ମହେଶ ସାହୁ ଧାରଣା ଦେଇଛନ୍ତି ,ସୋସିଆଲ ମିଡ଼ିଆରେ ଜିଲ୍ଲା ପ୍ରଶାସନକୁ ଟ୍ରୋଲ କରାଯାଇଛି,ନିର୍ମାଣ ଠିକା କମ୍ପାନୀ ନାଁରେ କୋର୍ଟରେ କେସ ହେଇଚି, ତଥାପି ଫଳ କିଛି ହେଲାନି। ଏଭଳି ପରିସ୍ଥିତିରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜପଥ ନିର୍ମାଣର ବିଳମ୍ବ ନେଇ ସଫେଇ ଦିଆଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସପି ଜଗମୋହନ ମୀନା, ଏଡିଏମ୍ ରଜନୀକାନ୍ତ ସ୍ୱାଇଁ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଏ ଏସ ରାଓ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଲେ ପ୍ରଥମେ ଜାତୀୟ ରାଜପଥ ନିର୍ମାଣ କାମ ହାତକୁ ନେଇଥିବା ଗାୟତ୍ରୀ କମ୍ପାନୀ ଦେବାଳିଆ ହୋଇଯିବାରୁ କାମ ଆଗେଇ ପାରିନଥିଲା। ଏହା ପରେ ସାନି ଟେଣ୍ଡର ପ୍ରକ୍ରିୟା ଯୋଗୁଁ ପୁଣି କାମ ବିଳମ୍ବ ହେଲା। ନିକଟରେ ଏହି ଟେଣ୍ଡର ସମ୍ପୂର୍ଣ୍ଣ ହୋଇ ସବ କନ୍ତ୍ରାକ୍ଟ ସ୍ତରରେ ଅଛି। ଆସନ୍ତା ପନ୍ଦର ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ବେଳକୁ ଜୁନ ମାସ ହେବ। ବୈଠକରେ ଏସପି ଶ୍ରୀ ମୀନା ରାଜପଥର ସର୍ବାଧିକ କ୍ଷତିଗ୍ରସ୍ତ ୫.୩ କିଲୋମିଟରର ଛ’ ଟି ବିଭିନ୍ନ ପ୍ୟାଚର ରାସ୍ତାକୁ ଅଗ୍ରାଧିକାର ଭିତରେ ମରାମତି କରାଯିବ ବୋଲି କହିଥିଲେ।ଏଥିପାଇଁ ଡିଏମଏଫ୍ ଫଣ୍ଡରୁ ପ୍ରାୟ ସାତ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ପ୍ରକାଶ କରିଥିଲେ। ଏହି କାମ ଏନବିସିସି କରିବ ବୋଲି ଜଣାପଡିଛି। ଖୁବ୍ ଶୀଘ୍ର ଏହି କାମ ଆରମ୍ଭ ହେବ । ନିର୍ଦ୍ଦେଶକ ଶ୍ରୀ ରାଓ ଅନୁଗୁଳ ବାଇପାସ ରାସ୍ତା ପାଇଁ ଜମି ଅଧିଗ୍ରହଣ ସରିଛି କିନ୍ତୁ ଠିକଣା ସମୟରେ ଏହା ସମ୍ପୂର୍ଣ୍ଣ ହେବ କି ନାହିଁ, ରାଜପଥ ନିର୍ମାଣ ର ଅହେତୁକ ବିଳମ୍ବ ପାଇଁ ଦାୟୀ କିଏ ବୋଲି ସାମ୍ବାଦିକମାନେ ପଚାରିବାରୁ ଏହାକୁ ଏଡାଇ ଚାଲିଯାଇଥିଲେ ।