ମୁଖ୍ୟ ଖବର

ଟ୍ରକ ଧକ୍କାରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ, ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଲା

By Angul TV Bureau

March 23, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନା ବଲାଙ୍ଗି ‘ବି’ କଲୋନୀ ଠାରେ ଟ୍ରକ ଧକ୍କାରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ହୋଇଥିଲା। ମୃତ ଜଣକ ହେଲେ କଣିହାଁ ଥାନା ଟେଣ୍ଟେଇବେରେଣୀ ଗାଁର ଦିବାକର ଭୂତିଆଙ୍କ ପୁଅ ସୁମନ୍ତ ଭୂତିଆ (୩୮)।

ସୁମନ୍ତ ଏନଟିପିସିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ତେବେ କ୍ଷତିପୂରଣ ପ୍ରଦାନ ଦାବିରେ ସୋମବାର ଦିନ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ତାଙ୍କ ପରିବାର ଲୋକେ ରାସ୍ତାରେ ଶବକୁ ଅଟକ ରଖି ରାସ୍ତାରୋକ କରିଥିଲେ। ଜେଆଇଟିପିଏଲକୁ କୋଇଲା ପରିବହନ କରୁଥିବା ଟ୍ରକ ଧକ୍କାରେ ସୁମନ୍ତର ମୃତ୍ୟୁ ହୋଇଥିବା ଓ ଏନଟିପିସିରେ ଡ୍ୟୁଟି କରୁଥିବା ସମୟରେ ତାର ମୃତ୍ୟୁ ହୋଇଥିବା ନେଇ ଉଭୟ କମ୍ପାନୀ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ।

ଖବର ପାଇ ସମଲ ପୋଲିସ, ପାୱାର ପ୍ଲାଣ୍ଟ କର୍ତ୍ତୃପକ୍ଷ, ଏନଟିପିସି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପାୱାର ପ୍ଲାଣ୍ଟ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, ସୁଧି କ୍ରିୟା ପାଇଁ ୩ ଲକ୍ଷ ଟଙ୍କା, ପରିବାର ଭରଣ ପୋଷଣ ବାବଦକୁ ମାସକୁ ୧୫ ହଜାର ଟଙ୍କା ପ୍ରଦାନ କରିବା ଓ ଏନଟିପିସି ପକ୍ଷରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ, ସୁଧିକ୍ରିୟା ପାଇଁ ୧ ଲକ୍ଷ ଟଙ୍କା ସହ ପରିବାରର ଜଣକୁ ଠିକା ସଂସ୍ଥାରେ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୃତି ପରେ ରାସ୍ତା ଅବରୋଧ ହଟିଥିଲା। ପରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ଶବ ବ୍ୟବଛେଦ ପାଇଁ ତାଳଚେର ପଠାଇଥିଲା। ତେବେ ଏହି ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ ହୋଇଛି।