ଘଟଣା ଓ ଦୁର୍ଘଟଣା

୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ

By Angul TV Bureau

December 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ମନୋଜ ପ୍ରଧାନଙ୍କ ନେତୃତ୍ବରେ ୩ ଦଫା ଦାବି ନେଇ ମଙ୍ଗଳବର ଏମ୍‌ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଦାବି ଅନୁଯାୟୀ, ତାଳଚେର ଅଞ୍ଚଳର ଜମିହରା ପ୍ରଜା ହେଉ କିମ୍ବା ବିଭିନ୍ନ ଗ୍ରାମ ଓ ସଂଗଠନ ସେମାନଙ୍କ ନିଜର ନାର୍ଯ୍ୟଦାବି ନେଇ ବିଭିନ୍ନ ସମୟରେ ଖଣିଖାଦାନ ବନ୍ଦ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସେହି ଅନ୍ଦୋଳନ ସମୟରେ ଏମ୍‌ସିଏଲ୍‌ରେ କାର୍ଯ୍ୟରତ ସ୍ଥାୟୀ ଶ୍ରମିକମାନେ ସେମାନଙ୍କର ବେତନ ପାଉଛନ୍ତି। କିନ୍ତୁ ଖଣିରେ ଠିକା ସଂସ୍ଥାରେ କାର୍ଯ୍ୟରତ ଥିବା ଡ୍ରାଇଭର, ହେଲପର, ସୁପରଭାଇଜର ଏବଂ ଅନ୍ୟାନ୍ୟ ଶ୍ରମିକମାନେ ଖଣି ବନ୍ଦ ସମୟରେ ବେତନ ପାଉନାହାନ୍ତି। ଫଳରେ ସେମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହଁ ଠିକା ସଂସ୍ଥାମାନେ ସରକାରଙ୍କ ନିୟମ ଅନୁଯାୟୀ ୨୬ ଦିନର ହାଜିରା ମାସକୁ ପ୍ରଦାନ କରିବା କଥା କିନ୍ତୁ ଘରୋଇ ସଂସ୍ଥାମାନେ ଠିକା ଶ୍ରମିକମାନଙ୍କୁ ୧୫ରୁ୨୦ ଦିନର ହାଜିରା ଦେଉଛନ୍ତି। ଯାହାକି ସରକାରଙ୍କ ସଂପୂର୍ଣ୍ଣ ନିୟମ ବାହାରେ। ଏଭଳି ଘଟଣାକୁ ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତଥା ସମସ୍ତ ଠିକା କର୍ମଚାରୀମାନେ ଆଜି ଏକତ୍ରିତ ହୋଇ ଜଗନ୍ନାଥ କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବିକ୍ଷୋଭ ସ୍ଥଳରେ ଜଣାଇବା ସହିତ ଏମ୍‌ସିଏଲ୍‌ ଖଣି ବନ୍ଦ ଆନ୍ଦୋଳନ ବେଳେ ସ୍ଥାୟୀ ଶ୍ରମିକମାନେ ଯେଉଁ ଭଳି ସେମାନଙ୍କର ବେତନ ପାଉଛନ୍ତି ସେହିଭଳି ଠିକା ଶ୍ରମିକମାନଙ୍କୁ ବେତନ ପ୍ରଦାନ କରାଯାଉ, ଘରୋଇ ସଂସ୍ଥାରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ମାସର ଅନ୍ୟୁନ ୨୬ ଦିନର ହାଜିରା ପ୍ରଦାନ ସହିତ ଉଚ୍ଚସ୍ତରୀୟ କମିଟି ଦ୍ଵାରା ପ୍ରସ୍ତାବିତ ହୋଇଥିବା ୬ ହଜାର ଟଙ୍କାର ଏକ୍ସଗ୍ରାସିଆକୁ ସମସ୍ତ ଠିକା ଶ୍ରମିକମାନଙ୍କୁ ଅତିଶୀଘ୍ର ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଏହି ଦାବିଗୁଡ଼ିକ ଖୁବଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ କେବଳ ଜଗନ୍ନାଥ କ୍ଷେତ୍ରୀୟ କାର୍ଯ୍ୟାଳୟ ନୁହେଁ, ବରଂ ତାଳଚେରରେ ଥିବା ସମସ୍ତ ଖଣି ଖାଦାନ ବନ୍ଦ କରି ଦିଆଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।