ମୁଖ୍ୟ ଖବର

ଠିକାଦାରଙ୍କ କବଜାରେ ସରକାରୀ କ୍ଵାର୍ଟର, ୩ ବର୍ଷ ହେଲା ଗୋଦାମ ଭାବେ ବ୍ୟବହାର କରୁଛନ୍ତି ଅଣଓଡ଼ିଆ ଠିକାଦାର

By Angul TV Bureau

August 23, 2024

ଅନୁଗୁଳ: ଅଣଓଡ଼ିଆଙ୍କ ଠିକାଦାରଙ୍କ କବଳରେ ଅନୁଗୁଳ ପୂର୍ତ୍ତ ବିଭାଗର କ୍ଵାର୍ଟର। ପାଖାପାଖି ୩ ବର୍ଷ ହେବ ଏହି କ୍ଵାର୍ଟର ହାତେଇଛନ୍ତି ଅଣଓଡ଼ିଆ ଠିକାଦାର। ରାଜ୍ୟ ସରକାର ବଦଳି ଯାଇଛି କିନ୍ତୁ ପୂର୍ତ୍ତ ବିଭାଗର ବାବୁ ମାନେ ନିଜର ସ୍ୱାର୍ଥ ପାଇଁ ଅଣଓଡ଼ିଆ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖେଇବା ମାନସିକତା ବଦଳି ନାହିଁ।

ଅନୁଗୁଳ ମାଛ ମାର୍କେଟ ସ୍ଥିତ ପୂର୍ତ୍ତ ବିଭାଗର ଗୋଟିଏ କ୍ଵାର୍ଟର ଜଣେ ଠିକାଦାରକୁ ପାଖାପାଖି ୩ ବର୍ଷ ହେବ ଭଡା ସୂତ୍ରରେ ଆବଣ୍ଟନ କରିଛି ପୂର୍ତ୍ତ ବିଭାଗ। କିନ୍ତୁ ଠିକାଦାର ଗୋଟିଏ କ୍ଵାର୍ଟର ବଦଳରେ ଆଉ ୨ ଟି କ୍ଵାର୍ଟର ଜବରଦଖଲ କରିଛନ୍ତି। ଏବେ ଉକ୍ତ କ୍ୱାର୍ଟର ଗୋଦାମ ଘର ଭାବେ ବ୍ୟବହୃତ ହେଉଛି। ତେବେ କିଛି ପୂର୍ତ୍ତ ବିଭାଗ କର୍ମଚାରୀ କ୍ଵାର୍ଟର ନପାଇ ଭଡାରେ ରହୁଥିବା ବେଳେ ଜଣେ ଠିକାଦାରକୁ ୩ଟି କ୍ଵାର୍ଟର ମିଳିବା ପଛରେ ପୂର୍ତ୍ତ ବିଭାଗର କି ସ୍ୱାର୍ଥ ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମୁତାବକ, ଅନୁଗୁଳ ମାଛ ମାର୍କେଟ ନିକଟରେ ପୂର୍ତ୍ତ ବିଭାଗର ଥିବା କ୍ୱାର୍ଟର ନମ୍ବର ପିଡବ୍ଲୁଡି /୨୦ କୁ ଜଣେ ଅଣଓଡ଼ିଆ ଠିକାଦାର ଭଡା ସୂତ୍ରରେ ନେଇଥିଲେ। କିନ୍ତୁ ଠିକାଦାର ୨୦ ନମ୍ବର କ୍ଵାର୍ଟର ପାଖକୁ ଲାଗି ଅନ୍ୟ ଦୁଇଟି କ୍ୱାର୍ଟରକୁ ମଧ୍ୟ ଜବର ଦଖଲ କରି ଗୋଦାମ ଘର କରିଛନ୍ତି। ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲଙ୍କ କହିବା ଅନୁସାରେ, ୨୧.୯.୨୦୨୧ ତାରିଖ ଦିନ ଉକ୍ତ ଠିକାଦାରକୁ ୨୦ ନମ୍ବର କ୍ଵାର୍ଟର ମାସିକ ୧୬୪୦ ଟଙ୍କା ଭଡା ସୂତ୍ରରେ ଦିଆଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ଚାହିଁଲେ କ୍ଵାର୍ଟର ଠିକାଦାରଙ୍କୁ ଦେଇପାରିବେ ବୋଲି ଯନ୍ତ୍ରୀ ପ୍ରକାଶ କରିଥିଲେ। କିନ୍ତୁ ଗୋଟିଏ କ୍ଵାର୍ଟର ବଦଳରେ ଅନ୍ୟ ଦୁଇଟି କ୍ଵାର୍ଟର ଠିକାଦାର ଜବର ଦଖଲ କରିଥିବା ସୂଚନା ଅଧିକ୍ଷଣ ଯନ୍ତ୍ରୀଙ୍କ ପାଖରେ ନାହିଁ। ତଦନ୍ତ କରିବା ପରେ ଏହି ଘଟଣା ଜଣାପଡ଼ିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

ଏଥିସହ କ୍ୱାର୍ଟର ଭଡ଼ା ଦେଲେ ସାଧାରଣ ଲୋକଙ୍କ ଅସୁବିଧା ହେଉନି, ଯାହାର ସମସ୍ୟା ହେଉଛି ଆମ ପାଖକୁ ଆସନ୍ତୁ ବୋଲି ମୁହଁ ଟାଣ କରି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ। ଅନ୍ୟପଟେ ସରକାରୀ କଳରେ ଏଭଳି ଅର୍ଥ ଆତ୍ମସାତ୍ ଘଟଣାର ତଦନ୍ତ ହେଉ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।