ଅନୁଗୋଳ: ହାତୀ-ମଣିଷ ବିବାଦକୁ ରୋକିବା ପାଇଁ ଅନୁଗୋଳ ସର୍କିଟ ହାଉସଠାରେ ଏକ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଅବ୍ଦାଲ୍ ଏମ୍ ଅଖତାର ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ ବିବାଦ ହ୍ରାସ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଛି। ହାତୀ ଆକ୍ରମଣରେ ମୃତ୍ୟୁକୁ ପ୍ରାକୃତିକ ବିପର୍ଯ୍ୟୟର ମାନ୍ୟତା ଦେବା ସହ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଗ୍ରୀମ ଅର୍ଥରାଶି ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିସହିତ ଜଙ୍ଗଲରେ ହାତୀଙ୍କ ପାଇଁ ପାଣିର ବ୍ୟବସ୍ଥା, ସୋଲାର ବାଡ଼ ବୃଦ୍ଧି, ହାତୀ ଚଲାପଥର ପୁନରୁଦ୍ଧାର ଏବଂ ଘଉଡ଼ାଇବା ପାଇଁ ବୈଜ୍ଞାନିକ ପଦ୍ଧତି ଆପଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ହାତୀ-ମଣିଷ ବିବାଦ କମିବ ବୋଲି ସଦସ୍ୟମାନେ ଆଶା ବ୍ୟକ୍ତ କରିଛନ୍ତି।