ମୁଖ୍ୟ ଖବର

ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ୱୟ କମିଟି ବୈଠକ, ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ

By Angul TV Bureau

January 10, 2026

ଅନୁଗୁଳ: ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ବୟ ଅଭିଯାନ ଉପଲକ୍ଷେ ଅନୁଗୁଳ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ଆସନ୍ତା ୩୦ରୁ ଫେବ୍ରୁଆରି ୧୩ ଯାଏଁ ଚାଲିବ। ଲକ୍ଷ୍ୟ ହେଉଛି ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ।

ଆଜିର ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଯୋଗ ଦେଇଥିଲେ। ବୈଠକକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ ପରିଚାଳନା କରିଥିବାବେଳେ ଜିଲ୍ଲା କୁଷ୍ଠ ରୋଗ ଅଧିକାରୀ ଡା.ଅନ୍ତର୍ଯ୍ୟାମୀ ମିଶ୍ର ଓ ସୂର୍ଯ୍ୟ ନାରାୟଣ ଦତ୍ତ ଏହି ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ। ଏ ଅବସରରେ ଜିଲ୍ଲାର ସମସ୍ତ ଗାଁ କଲ୍ୟାଣ ସମିତି, ପଞ୍ଚାୟତ, ବିଦ୍ୟାଳୟ ତଥା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କୃଷ୍ଣ ରୋଗ ନିରାକରଣ ସମ୍ପର୍କିତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ଥିଲେ।ପ୍ରକାଶଥାଉକି, ୨୦୨୪-୨୫ ଆର୍ଥିକ ବର୍ଷରେ ୨୫୪ ଜଣ ନୂତନ କୁଷ୍ଠରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଡିସେମ୍ବର-୨୦୨୫ ଶେଷ ସୁଦ୍ଧା ୧୯୪ ଜଣ ନୂତନ କୃଷ୍ଠରୋଗୀ ଚିହ୍ନଟ ନିଶ୍ଚିତ ହୋଇଛନ୍ତି।