ମୁଖ୍ୟ ଖବର

ସାତକୋଶିଆ ବନଖଣ୍ଡରେ ବଢ଼ୁଛି ଦୁର୍ନୀତି, ଜାଲ୍ କାଗଜ ଦେଖାଇ ସରକାରୀ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ

By Angul TV Bureau

February 23, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଅନେକ ଅନିୟମିତତା ଓ ସରକାରୀ ଅର୍ଥ ହରିଲୁଟ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି। ଏଠାରେ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। କିନ୍ତୁ ଆଜି ଯାଏଁ ସାତକୋଶିଆର ସଂରକ୍ଷଣ ଓ ଅଞ୍ଚଳବାସୀଙ୍କର କୌଣସି ଉନ୍ନତି ହୋଇପାରି ନାହିଁ। କୋଟି କୋଟି ଟଙ୍କା ବ୍ୟାଙ୍କରେ ଜମା ରହିଥିବା ବେଳେ ତାହାର ସଦବିନିଯୋଗ କରାଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ତେବେ ଏଠାରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହେଉଥିବା ନେଇ କୁହାଯାଉଥିବା ବେଳେ କେଉଁଠି ବି ସ୍ବଚ୍ଛତା ଫଳକ ଲାଗୁନାହିଁ। ଗୋଟିଏ କାର୍ଯ୍ୟ ପାଇଁ ତିନି ତିନି ଥର ଟଙ୍କା ଖର୍ଚ୍ଚ କରାଯାଇ ଅର୍ଥ ଆତ୍ମସାତ ହେଉଛି। କ୍ଷେତ୍ରରେ ଆଦୌ କାର୍ଯ୍ୟ କରା ନ ଯାଇ ବିଲ ଭାଉଚର୍ ତିଆରି ହୋଇ ସରକାରୀ ରେକର୍ଡ ପତ୍ରକୁ ଠିକଠାକ କରିବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ନିର୍ଦ୍ଦିଷ୍ଟ କିଛି ଲୋକ, କମ୍ପାନୀ ଏବଂ ଏଜେନ୍ସି ନାମରେ ବିଲ ଓ ଭାଉଚର କରାଯାଇ ଆକାଉଣ୍ଟରେ ପୈଠ କରାଯାଉଛି। ଫଳରେ ପରେ ଏମାନେ ୭୦ ଭାଗ ଅନୁଦାନ ଟଙ୍କା ଫେରାଇ ୩୦ ଭାଗ ଟଙ୍କାକୁ ଟାକ୍ସ ନାମରେ ରଖୁଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ଏସବୁ ଜାଲିଆତି କାର୍ଯ୍ୟରେ ଯିଏ ସହଯୋଗ କରୁନାହିଁ ତାର ନାମରେ ବିଭିନ୍ନ ଆଳ ଦେଖାଇ ସସପେଣ୍ଡ, ପ୍ରୋସିଡିଙ୍ଗ ଉପର ଅଧିକାରୀ କରୁଥିବାର ଅଭିଯୋଗ ହେଉଛି। ସାତକୋଶିଆ ବନଖଣ୍ଡରେ ଜାଲିଆତି, ଅନିୟମିତତା ସାଙ୍ଗକୁ ଦୁର୍ନୀତି ଉଗ୍ରରୂପ ଧାରଣ କରିଛି। ଏପରିକି ଜଣେ ଅଧିକାରୀ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ସହପାଠୀ ହୋଇଥିବାରୁ କ୍ଷେତ୍ର କର୍ମଚାରୀଙ୍କୁ ଧମକ ଦେବା ସହିତ ଉଚ୍ଚ ପଦସ୍ଥ ଅଫିସରଙ୍କୁ ବଶୀଭୂତ କରିଥିବାର ଆଲୋଚନା ହେଉଛି । ସାତକୋଶିଆ ବନଖଣ୍ଡରେ ହେଉଥିବା

ଦୁର୍ନୀତି ନେଇ ଲୋକାଯୁକ୍ତଙ୍କ ଠାରେ କେସ ପଞ୍ଜୀକୃତ ହୋଇଛି। ଲୋକାଯୁକ୍ତରେ ସଭ୍ୟ ପଦବୀ ଖାଲି ଥିବାରୁ କେସର ତଦନ୍ତ ଓ ଶୁଣାଣିରେ ଡେରି ହେଉଥିବା ଅନୁଗୁଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ସାତକୋଶିଆ ଅଭୟାରଣ୍ୟ ପ୍ରଜା ସୁରକ୍ଷା ସମିତି ନବ କିଶୋର ବିଶୋଇ ପ୍ରକାଶ କରିଛନ୍ତି। ଏଠାରେ ଚାଲିଥିବା ଜାଲିଆତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦସ୍ଥ ଅଫିସରଙ୍କୁ ଗ୍ରାମବାସୀ ସମେତ ପ୍ରଜା ସଂଘ ଲିଖିତ ଅଭିଯୋଗ କରିଥିବା ଶ୍ରୀ ବିଶୋଇ ପ୍ରକାଶ କରିଛନ୍ତି।