ଅନୁଗୁଳ: କଳାହୀରା ସହର ତାଳଚେର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ବେଆଇନ ନିଶା ସିରପ୍ ‘ଏସ୍କପ୍’ର କାରବାର ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କୋରେକ୍ସ ଉପରେ କଟକଣା ପରେ, ଏବେ ଏହି ନୂଆ ସିରପ୍ ପେଟିପେଟି ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ପରେ ଏହି ମାରାତ୍ମକ ସିରପ୍କୁ ଆପଣେଇ ଶିକ୍ଷିତ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି।
ଅଧିକ ଲାଭ ଆଶାରେ କିଛି ଅସାଧୁ ଔଷଧ ବ୍ୟବସାୟୀ ଲୁଚାଛପାରେ ଏହାକୁ ବିକ୍ରି କରି ମାଲାମାଲ ହେଉଛନ୍ତି। ସହରର ବିଭିନ୍ନ ନିଛାଟିଆ ସ୍ଥାନ, ପୋଖରୀ ହୁଡ଼ା, ସ୍କୁଲଘର ଓ ଶ୍ମଶାନଘାଟରେ ଏହି ସିରପ୍ର ମାଳମାଳ ଖାଲି ସିସି ପଡ଼ିଥିବା ଦେଖିବାକୁ ମିଳୁଛି। ଏହି ନିଶା ସେବନ ଯୋଗୁଁ ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି। ଏହି ସାଂଘାତିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଅନୁଗୁଳ ଜିଲ୍ଲାପାଳ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଜୋରଦାର ଦାବି ହେଉଛି।