ମୁଖ୍ୟ ଖବର

କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟଟନ ସ୍ଥିତି

By Angul TV Bureau

December 06, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ହେଉଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷିତ ହେବା ପରେ ଅନେକ ନୂଆ ଯୋଜନା ସରକାର କରିଛନ୍ତି। ନୀଳ ଜଳ, ପ୍ରାକୃତିକ ଶୋଭା, ବାଲିରେ ଖରା ପୁଉଁଥିବା କୁମ୍ଭୀର, ନାନା ଜାତିର ଚଢେ଼ଇ, ସରୀସୃପ, ମହାନଦୀର ପୁଣି ନୌକା ବିହାର ପର୍ଯ୍ୟଟକଙ୍କ ମନ ମୋହିବାକୁ ଯଥେଷ୍ଟ। କିଛି ବର୍ଷ ପରେ ଟିକରପଡ଼ା, ଛୋଟକେଇ, ବାଘମୁଣ୍ତା ଆଦି ସ୍ଥାନରେ ହେଲା ନେଚର କ୍ୟାମ୍ପ। ସ୍ବୟ˚ ସହାୟକ ଗୋଷ୍ଠୀ, କ୍ଲବ୍‌ ପିଲାଙ୍କୁ ଦିଆଗଲା ପରିଚାଳନା ଦାୟିତ୍ବ। ପର୍ଯ୍ୟଟକ ଆସିବେ, ପ୍ରକୃତିକୁ ଉପଭୋଗ କରିବେ, ପର୍ଯ୍ୟଟନ ଶିଳ୍ପର ବିକାଶ ହେବ। ଏବେ ତ ସରକାର ଇକୋ-ରିଟ୍ରିଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଗତ ରବିବାର ଭୁବନେଶ୍ବରରୁ ଆସିଥବା ୩ଟି ବ˚ଗୀୟ ପରିବାର ନେଚର କ୍ୟାମ୍ପରେ ରହି ତାଙ୍କର ଯେଉଁ ଦୟନୀୟ ଅନୁଭୂତି ବର୍ଣ୍ଣନା କଲେ ତାହା ମନରେ ଦୁଃଖ ଆଣିଦିଏ। ଖାଦ୍ୟ ନିମ୍ନମାନର। ଶୌଚାଳୟ ଠିକ୍‌ ନାହିଁ। ଟେଣ୍ଟ କଣା ହୋଇଗଲାଣି। ଅଭିଯୋଗ କରିବାକୁ ଅଭିଯୋଗ ବାକ୍ସ ନାହିଁ। ଫେରିଲା ବେଳେ ଜିଲ୍ଲା ପର୍ଯ୍ୟଟନ ଅଫିସ୍‌କୁ ଆସି ଅଭିଯୋଗ କରିବାକୁ ଆସିଲେ। ଦେଖିଲେ ସେଠି ତାଲା ଝୁଲୁଛି। କାନମୁଣ୍ତ ଆଉଁସି ପର୍ଯ୍ୟଟକ ପରିବାର ଭୁବନେଶ୍ବର ଫେରିଗଲେ। ଏ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ନ ଦେଲେ ଅତିଥି ଦେବୋ ଭଵଃ… ନାରା ଦେଇ ପର୍ଯଟନର ବିକାଶ ପାଇଁ ପ୍ରୟାସ ବୃଥା ଯିବା ଥୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।